Categories: ଗଞ୍ଜାମ

ଗର୍ଭବତୀଙ୍କୁ ଟ୍ରାକିଂ ପାଇଁ ଆପ୍‌

ଛତ୍ରପୁର,୧୨ା୯(ଡି.ଏନ.ଏ)-ଗଞ୍ଜାମ ଜିଲାର ସମନ୍ବିତ ଶିଶୁ ବିକାଶ ଯୋଜନା ସମ୍ବନ୍ଧୀୟ ବୈଠକ ବୁଧବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ। ଛତୁଆ ପ୍ରସ୍ତୁତିରେ ଅନିୟମିତତା ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ତଦାରଖ ପରେ ବି ଏଥିରେ ସ୍ବଚ୍ଛତା ଆସୁନି। ଏଣିକି ପ୍ରତି ଛତୁଆ କେନ୍ଦ୍ରରେ ବାଧ୍ୟତାମୂଳକ ଭାବେ ସିସି କ୍ୟାମେରା ଲାଗିବ। କୌଣସି ଅନିୟମିତତା ହେଲେ ଏହାର ଫୁଟେଜ୍‌ରୁ ଜଣାପଡିବ। ପ୍ରତି ମାସ ୧ ତାରିଖରେ ଅଙ୍ଗନୱାଡି କେନ୍ଦ୍ରକୁ ଛତୁଆ ବଣ୍ଟନ ହେବ। ଏହାର ନିୟମିତ ମନିଟରିଂ କରିବାକୁ ଜିଲାପାଳ କହିଛନ୍ତି। ଗର୍ଭବତୀଙ୍କୁ ଠିକ୍‌ ସେବା ଯୋଗାଇବା ପାଇଁ ସ୍ବାସ୍ଥ୍ୟ ଓ ସମନ୍ବିତ ଶିଶୁ ବିକାଶ ବିଭାଗ ମିଳିତ ଭାବେ ଏକ ଆପ୍‌ ପ୍ରସ୍ତୁତ କରିବେ। ଗର୍ଭବତୀଙ୍କୁ ଦିଆଯାଉଥିବା ଟିକା, ସ୍ବାସ୍ଥ୍ୟ ପରୀକ୍ଷା, ଅଲଟ୍ରାସାଉଣ୍ଡ, ଔଷଧ, ଡାକ୍ତରଙ୍କ ସମ୍ପର୍କରେ ଉକ୍ତ ଆପ୍‌ରେ ବିବରଣୀ ରହିବ। ଏହାଦ୍ୱାରା ଗର୍ଭବତୀଙ୍କୁ ଠିକ୍‌ ଭାବେ ମନିଟରିଂ କରିହେବ। ପ୍ରତି ଗର୍ଭବତୀଙ୍କ ପାଇଁ ବୁକ୍‌ଲେଟ୍‌ ପ୍ରସ୍ତୁତ ହେବ ଏବଂ ଏଥିରେ ସମ୍ପୂର୍ଣ୍ଣ ତଥ୍ୟ ରହିବ। ଆସନ୍ତା ଅକ୍ଟୋବର ୧ରୁ ସମସ୍ତ ଅଙ୍ଗନୱାଡି କେନ୍ଦ୍ରରେ ଗୋଦଭରାଇ ଉତ୍ସବ ପାଳିତ ହେବ। ଗର୍ଭବତୀଙ୍କୁ ସ୍ବାଗତ ସହ ଉକ୍ତ ବୁକ୍‌ଲେଟ୍‌ ପ୍ରଦାନ କରାଯିବ। ପ୍ରତି ଅଙ୍ଗନୱାଡି କେନ୍ଦ୍ରର ୧୦ ମିଟର ପରିଷ୍କାର ପରିଚ୍ଛନ୍ନ ରଖିବାକୁ ଜିଲପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲାରେ ୪୨୧ ଶିଶୁ ଅତି ପୁଷ୍ଟିହୀନତା ଅଛନ୍ତି। ସେମାନଙ୍କର ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ କୁହାଯାଇଛି। ୧୭ ତାରିଖରୁ ପୁଣି ନିର୍ଭୟ କଢି, ସ୍ବଂୟସିଦ୍ଧା ଓ ମୋ ଗେହ୍ଲା ଝିଅ ଆରମ୍ଭ ହେବ। ଏହାଦ୍ୱାରା ବାଲ୍ୟବିବାହ ରୋକିବାଠାରୁ ଆରମ୍ଭ କରି ଶିଶୁ କନ୍ୟାଙ୍କ ପ୍ରତି ନିର୍ଯାତନା କମିବ ବୋଲି ଲକ୍ଷ୍ୟ ରଖାଯାଇଛି। ଏସଏଚଜି ସଦସ୍ୟାଙ୍କୁ ପେଟ୍ରୋଲ ପମ୍ପରେ ତେଲ ପକାଇବା, ମସତ୍‌ୟ ଚାଷ, ଧାନକିଣା, ହସ୍ପିଟାଲରେ ଖାଦ୍ୟ ଯୋଗାଣ ଦାୟିତ୍ୱ ଦିଆଯିବ। ବୈଠକରେ ଅତିରିକ୍ତ ଜିଲାପାଳ କବୀନ୍ଦ୍ର କୁମାର ସାହୁ, ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବ, ଜିଲା ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ, ଡିପିଏମ ଶ୍ୟାମସୁନ୍ଦର ତ୍ରିପାଠୀଙ୍କ ସମେତ ସିଡିପିଓମାନେ ଉପସ୍ଥିତ ଥିଲେ।