ଗର୍ଭବତୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇଲା ପୋଲିସ ପାଟ୍ରୋଲିଂ ଗାଡ଼ି

ଚିତ୍ରକୋଣ୍ଡା,୨୨।୩(ଡି.ଏନ୍‌.ଏ.): ମାଲକାନଗିର ଜିଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଯୋଡ଼ାମ୍ବ ଅଞ୍ଚଳରୁ ଜଣେ ଗର୍ଭବତୀଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ବୋଟ୍‌ରେ ଆଣି ଘାଟ କୂଳରେ ଆମ୍ବୁଲାନ୍ସକୁ ଅପେକ୍ଷା କରିଥିଲେ। ମାତ୍ର ପ୍ରସବ ଯନ୍ତ୍ରଣା ବଢ଼ିବାରୁ ପାଟ୍ରୋଲିଂରେ ଥିବା ପୋଲିସ ଗାଡ଼ି ଗର୍ଭବତୀଙ୍କୁ ଚିତ୍ରକୋଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ନେଇ ପହଞ୍ଚାଇଥିଲା। ଥାନା ଅଧିକାରୀ ଯୁଗଳ କିଶୋର ଶବରଙ୍କ ନେତୃତ୍ୱରେ ଏଏସ୍‌ଆଇ ରାଜେନ୍ଦ୍ର ପାଙ୍ଗି, କନଷ୍ଟେବଳ ନିଗମ ପ୍ରଧାନ, ହୋମଗାର୍ଡ ବୁଜି ଦୋରା ଏବଂ ରାଜେଶ ସାହୁଙ୍କ ଏକ ଟିମ୍‌ ଗର୍ଭବତୀଙ୍କୁ ଡାକ୍ତରଖାନା ନେଇଥିଲେ। ଥାନାଧିକାରୀଙ୍କ ଏପରି କାର୍ଯ୍ୟକୁ ଜନସାଧାରଣରେ ପ୍ରଶଂସା କରାଯାଇଛି। ଅନ୍ୟପକ୍ଷରେ ଗର୍ଭବତୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।