ଗର୍ଭବତୀଙ୍କ ଚିକିତ୍ସା କରିବାକୁ ମନାକଲେ ୮ ହସ୍ପିଟାଲ: ୧୩ ଘଣ୍ଟାପରେ ଆମ୍ବୁଲାନ୍ସ୍‌ରେ ଘଟିଲା ମୃତ୍ୟୁ

ନୋଏଡ଼ା, ୭।୬: ଦେଶରେ କରୋନା ସଂକ୍ରମଣ ନେଇ ଲୋକେ ଏଭଳି ଆତଙ୍କିତ ହୋଇ ପଡ଼ିଛନ୍ତି ଯେ, ସେମାନଙ୍କ ମଧ୍ୟରେ ଥିବା ସାଧାରଣ ମାନବିକତା ମଧ୍ୟ ଏବେ ହଜି ଯାଇଛି। ଏହାର ସଦ୍ୟତମ ଉଦାହରଣ ଦିଲ୍ଲୀର ନୋଏଡ଼ାରେ ଘଟିଛି। ଏଠାରେ କରୋନା ଲକ୍ଷଣ ଥିବା ଜଣେ ଗର୍ଭବତୀଙ୍କୁ ୮ ହସ୍ପିଟାଲ ଭର୍ତ୍ତି କରିବାକୁ ମନା କରିଥିଲେ। ଦୀର୍ଘ ୧୩ ଘଣ୍ଟାକାଳ ସେ ଆମ୍ବଲାନ୍ସ୍‌ରେ ଗୋଟିଏ ହସ୍ପିଟାଲରୁ ଅନ୍ୟ ହସ୍ପିଟାଲକୁ ଯିବା ଆସିବା କରିଥିଲେ। ଶେଷରେ ପ୍ରସବ ଯନ୍ତ୍ରଣା ସହି ନ ପାରି ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଗାଜିଆବାଦ୍‌ ଖୋଦା କଲୋନୀ ବାସିନ୍ଦା ୩୦ ବର୍ଷ ବୟସ୍କା ନୀଲମ୍‌ କୁମାରୀ ୮ ମାସର ଗର୍ଭବତୀ ଥିଲେ। ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ଶୁକ୍ରବାର ସକାଳ ୬ଟାରେ ଅଟୋରେ ହସ୍ପିଟାଲ ଅଣାଯାଇଥିଲା। ତେବେ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ଅନ୍ୟ ହସ୍ପିଟାଲକୁ ପଠାଇ ଦେଇଥିଲେ। ଏହା ଜାରି ରହିଥିଲା। ଏକ ଗଣମାଧ୍ୟମ ସଂସ୍ଥାର ମେଣ୍ଟେନାନ୍ସ୍‌ ବିଭାଗରେ କାର୍ଯ୍ୟ କରୁଥିବା ନୀଲମ୍‌ଙ୍କ ସ୍ବାମୀ ବିଜେନ୍ଦ୍ର ସିଂ ତାଙ୍କୁ ନୋଏଡ଼ାର ସେକ୍ଟର ୨୪ରେ ଥିବା ଇଏସ୍‌ଆଇସି ହସ୍ପିଟାଲକୁ ନେଇଥିଲେ। ସେଠାରୁ ତାଙ୍କୁ କିଛି ସମୟ ରଖାଯିବା ପରେ ସେକ୍ଟର ୩୦ରେ ଥିବା ଜିଲା ହସ୍ପିଟାଲକୁ ପଠାଇ ଦିଆଯାଇଥିଲା। ତେବେ ସେଠାରେ ତାଙ୍କୁ ଭର୍ତ୍ତି କରିବାକୁ ମନା କରାଯାଇଥିଲା। ସେ ଖୋଦା କଣ୍ଟେନମେଣ୍ଟ୍‌ ଜୋନ୍‌ରୁ ଆସିଥିବାରୁ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯିବ ନାହିଁ ବୋଲି କୁହାଯାଇଥିଲା। ପରେ ନୀଲମ୍‌ଙ୍କୁ ସେକ୍ଟର ୫୧ରେ ଥିବା ଶିଓ୍ବାଲିକ୍‌ ହସ୍ପିଟାଲକୁ ନିଆଯାଇଥିଲା। ତାଙ୍କର ଅବସ୍ଥା ଗୁରୁତର ଥିବା କହି ହସ୍ପିଟାଲ କର୍ତ୍ତୃପକ୍ଷ ଅନ୍ୟ ଭଲ ହସ୍ପିଟାଲକୁ ନେବାକୁ ପରାମର୍ଶ ଦେଇଥିଲେ। ଏଭଳି ଭାବେ ଶେଷରେ ନୀଲମ୍‌ଙ୍କ ମୃତ୍ୟୁ ଘଟିଥିଲା। ଘଟଣା ଜଣାପଡ଼ିବା ପରେ ନୋଏଡ଼ା ପ୍ରଶାସନ ପକ୍ଷରୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Share