ଗର୍ଭବତୀ,ଶିଶୁ ଯତ୍ନ ସମ୍ପର୍କିତ ଆଲୋଚନା ଚକ୍ର

ଯାଜପୁର ଟାଉନ,୨୬।୯(ଡି.ଏନ୍‌.ଏ.): ଗର୍ଭବତୀ ଓ ପ୍ରସୂତି ମହିଳା ଏବଂ ଶିଶୁଙ୍କ ଯତ୍ନ ସମ୍ପର୍କିତ ଏକ ଆଲୋଚନା ଚକ୍ର ଜିଲାପରିଷଦ ସଭାଗୃହରେ ବୁଧବାର ଅନୁଷ୍ଠିତ ହୋଇଛି। ଜିଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ପୋଷଣ ମାସ ପାଳନ ଅବସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲା ସମାଜ କ୍ଯଯାଣ ଅଧିକାରୀ ବିଜୟ ଲକ୍ଷ୍ମୀ ପଣ୍ଡା ସଭାପତିତ୍ୱ କରିଥିଲେ। ଜିଲାପାଳ ରଞ୍ଜନ କୁମାର ଦାସ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବ୍ୟବସାୟିକ ଖାଦ୍ୟ ଶିଶୁକୁ ନ ଦେଇ ଘରେ ପ୍ରସ୍ତୁତ ଖାଦ୍ୟ ପିଲାଙ୍କୁ ଦେଲେ ସେମାନଙ୍କ ଶରୀର ଭଲ ପରିପୃଷ୍ଟ ହୋଇପାରିବ ବୋଲି ମତ ଦେଇଥିଲେ। ଏଥିସହିତ ମା’ କ୍ଷୀର ଉପତ୍ାଦନ ସହିତ ଉଚିତ ଖାଦ୍ୟ ଦେବା ସହିତ କେଉଁ ଖାଦ୍ୟ ଖାଇଲେ ମହିଳା ଓ ଗର୍ଭବତୀଙ୍କ ସ୍ବାସ୍ଥ୍ୟ ଠିକ୍‌ ରହିବ ସେ ଉପରେ ମଧ୍ୟ ପ୍ରତ୍ୟେକ ମହିଳାଙ୍କୁ ସଚେତନ କରାଇବା ଆବଶ୍ୟକ ବୋଲି ଜିଲାପାଳ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି ଯୋଗଦେଇ ମା’ମାନେ ପୋଷଣ ମାସରେ ଶିଶୁର ଯତ୍ନ ଅଧିକ ନେବାକୁ କହିଥିଲେ। ପ୍ରତ୍ୟେକ ମା’ ନିଜର କଅଁଳା ଶିଶୁ ସନ୍ତୁଳିତ ଖାଦ୍ୟ ଦେବା ଉପରେ ଯତ୍ନବାନ ହେବାକୁ ମହାନ୍ତି ମତ ଦେବା ସହିତ ସରକାର ସବୁ ପ୍ରକାର ଚିକିତ୍ସା ଗର୍ଭବତୀ, ପ୍ରସୂତି ଓ ଶିଶୁଙ୍କ ପାଇଁ ଯୋଗାଇ ଦେଉଛନ୍ତି ବୋଲି କହିଥିଲେ। ଡେପୁଟି ମ୍ୟାନେଜର ଆର୍‌ସିଏଚ୍‌ ଲକ୍ଷ୍ମୀଧର ମହାପାତ୍ର ଏଥିରେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରୋଗ୍ରାମ ଅଧିକାରୀ ମଞ୍ଜୁଳା ରଥ, ଅତିରିକ୍ତ ସମାଜ କଲ୍ୟାଣ ଅଧିକାରୀ ମିହିର ମହାପାତ୍ର, ସଂସ୍ଥା ଅଧିକାରୀ ତିଳୋତ୍ତମା ପୃଷ୍ଟି, ନିର୍ବାଚନ ଅଧିକାରୀ କାଜଲ ପ୍ରଧାନ ପ୍ରମୁଖ ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Share