ଗର୍ଭରେ ପିଲାଙ୍କୁ ସଂସ୍କାରି କରିବା ପାଇଁ ଏହି ରାଜ୍ୟ ସରକାର ଆପଣାଇଲେ ନିଆରା ପଦକ୍ଷେପ

ଲକ୍ଷ୍ନୌ,୩।୧୨: ମହିଳାଙ୍କ ଗର୍ଭରେ ବଢ଼ୁଥିବା ପିଲାଙ୍କ ଭିତରେ ସଂସ୍କାର ଆଣିବା ପାଇଁ ଉତ୍ତରପ୍ରଦେଶ ସରକାର ଏକ ନିଆରା ପଦକ୍ଷେପ ଆପଣାଇଛନ୍ତି। କାନପୁରର ଛତ୍ରପତି ସାହୁଜି ମହାରାଜ ବିଶ୍ୱବିଦ୍ୟାଳୟ (ସିଏମ୍‌ଜେଏମ୍‌ୟୁ) ପକ୍ଷରୁ ଏନେଇ ଏକ ଅଭିଯାନ ଆରମ୍ଭ କରାଯାଇଛି। ଗର୍ଭାବସ୍ଥାରେ ଶିଶୁଙ୍କୁ ସଂସ୍କାରି କରିବା ପାଇଁ ମା’ମାନଙ୍କୁ କୌଶଳ ଶିଖାଇବା ପାଇଁ ଶିକ୍ଷା ଦିଆଯିବ। ଗର୍ଭବତୀ ମହିଳାଙ୍କ ଗର୍ଭରେ ହିଁ ଶିଶୁଙ୍କୁ ସଂସ୍କାର ଦିଆଯିବ। ଜାନୁୟାରୀ ପହିଲାରୁ ଆରମ୍ଭ ହେବାକୁ ଥିବା ଏହି ପାଠ୍ୟକ୍ରମରେ ଗର୍ଭବତୀ ଥିବା ମହିଳାଙ୍କ ସହ ଅବିବାହିତ ଯୁବତୀଙ୍କୁ ମଧ୍ୟ ଶିକ୍ଷାଦାନ କରାଯିବ। ବର୍ତ୍ତମାନ ସମୟରେ ସଂସ୍କାରକୁ ଗୁରୁତ୍ୱ ଦିଆଯାଉ ନ ଥିବା ବେଳେ ସମାଜରେ ଆପରାଧିକ ମାମଲା ବଢ଼ି ବଢ଼ି ଚାଲିଛି। ତେଣୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ପାଠ୍ୟକ୍ରମ ଆରମ୍ଭ କରାଯାଉଛି ବୋଲି ସିଏମ୍‌ଜେଏମ୍‌ୟୁର କୁଳପତି ପ୍ରୋ ନୀଳିମା ଗୁପ୍ତା କହିଛନ୍ତି। ଏହି ପାଠ୍ୟକ୍ରମର ଅବଧି ୩ ଓ ୬ ମାସ ରହିବ। ଏଥିସହ ପଢ଼ା ସରିବା ପରେ ଶିକ୍ଷାର୍ଥୀଙ୍କୁ ଏକ ସାର୍ଟିଫିକେଟ ପ୍ରଦାନ କରାଯିବ। ଏଥିରେ ପ୍ରବେଶ ପାଇଁ ଗର୍ଭବତୀ ମହିଳାଙ୍କ ସହ ସାଧାରଣ ମହିଳା ମଧ୍ୟ ଆବେଦନ କରିପାରିବେ। ଦ୍ୱାଦଶ ପାଠପଢ଼ା ପରେ ଯୁବତୀମାନେ ଏଥିରେ ଆବେଦନ କରିପାରିବେ। ଏକାଡେମୀ ପରିଷଦ ବୈଠକରେ ଏହି ପାଠ୍ୟକ୍ରମକୁ ଅନୁମୋଦନ ମିଳିବା ପରେ ଜାନୁୟାରୀ ପହିଲାରୁ କ୍ଲାସ୍‌ ଆରମ୍ଭ ହେବ ବୋଲି କୁଳପତି ନୀଳିମା ସୂଚନା ଦେଇଛନ୍ତି। ତେବେ ସିଏସ୍‌ଜେଏମ୍‌ୟୁ ରାଜ୍ୟର ପ୍ରଥମ ବିଶ୍ୱବିଦ୍ୟାଳୟ, ଯେଉଁଠାରେ ଏଭଳି ଶିକ୍ଷାଦାନ କରାଯାଉଛି।

Share