ଗର୍ଭସ୍ଥ ଶିଶୁ ଓ ମା’ଙ୍କ ମୃତ୍ୟୁ ଘଟଣା: ଆମ୍ବୁଲାନ୍ସ ଚାଳକ ନିଲମ୍ବିତ

ବାଙ୍ଗିରିପୋଷି,୭ା୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧୀନ ହାଣଦା ଗ୍ରାମର ଜଣେ ଗର୍ଭବତୀଙ୍କୁ ନେଇ ଡାକ୍ତରଖାନା ଯିବା ବାଟରେ ଆମ୍ବୁଲାନ୍ସରୁ ତେଲ ସରିଯାଇଥିଲା। ଆମ୍ବୁଲାନ୍ସଟି ଅଧାବାଟରେ ଅଟକି ରହିବାରୁ ଗର୍ଭବତୀଙ୍କୁ ଡାକ୍ତରଖାନା ପହଞ୍ଚାଇବାରେ ବିଳମ୍ବ ଘଟିଥିଲା। ଫଳରେ ଗର୍ଭସ୍ଥ ଶିଶୁଙ୍କ ସମେତ ତୁଳସୀ ମୁଣ୍ଡା ନାମ୍ନୀ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ଘଟିଥିବା ଏହି ଅଭାବନୀୟ ଘଟଣା ନେଇ ଆମ୍ବୁଲାନ୍ସର ଡ୍ରାଇଭର ହରିହର ନାଏକଙ୍କୁ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲା ସ୍ବାସ୍ଥ୍ୟ ଅଧିକାରୀ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଲକ୍ଷ୍ମୀପ୍ରିୟା ପ୍ରଧାନ ଏହି ସୂଚନା ଦେଇ ଘଟଣାର ଅଧିକ ତଦନ୍ତ କରାଯାଉଛି ବୋଲି କହିଛନ୍ତି। ଉଲ୍ଲେଖନୀୟ ଯେ, ଆମ୍ବୁଲାନ୍ସ ସେବାରେ ତ୍ରୁଟି ଯୋଗୁ ଗର୍ଭସ୍ଥ ଶିଶୁ ଓ ମା’ଙ୍କ ମୃତ୍ୟୁ ହେବା ଘଟଣା ସମଗ୍ର ଜିଲାରେ ଆଲୋଡ଼ନ ସୃଷ୍ଟି କରିଛି। ରବିବାର ମୟୂରଭଞ୍ଜ ଏମ୍‌ପି ବିଶେଶ୍ୱର ଟୁଡୁ ଏବଂ ଜିଲା ଭାଜପା ସଭାପତି ଡା.କୃଷ୍ଣଚନ୍ଦ୍ର ମହାପାତ୍ର ମୃତା ଗର୍ଭବତୀଙ୍କ ସ୍ବାମୀ ଚିତ୍ତରଞ୍ଜନ ମୁଣ୍ଡାଙ୍କ ଘରକୁ ଯାଇ ତାଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ତୁଳସୀଙ୍କ ମୃତ୍ୟୁପରେ ତାଙ୍କର ୨ ବର୍ଷର ପୁଅ ବଡ଼ ହେଲା ପର୍ଯ୍ୟନ୍ତ ତାଙ୍କର ସମସ୍ତ ଖର୍ଚ୍ଚ ସରକାର ବହନ କରନ୍ତୁ ବୋଲି ଏମ୍‌ପି ଟୁଡୁ ଦାବି କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ, ଶୁକ୍ରବାର ରାତି ପ୍ରାୟ ୧୧ଟା ବେଳେ ତୁଳସୀ ପ୍ରସବ ବେଦନା ଅନୁଭବ କରିଥିଲେ। ତାଙ୍କ ସ୍ବାମୀ ଗାଡି ବ୍ୟବସ୍ଥା କରି ତୁଳସୀଙ୍କୁ ଗାଁରୁ ଆଣି ବାଙ୍ଗିରିପୋଷି ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସା କରୁଥିବା ଡାକ୍ତର ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଦର୍ଶାଇ ବାରିପଦା ପିଆରଏମ ମେଡିକାଲ ନେବାକୁ କହିଥିଲେ। ରାତି ପ୍ରାୟ ୧୨ଟା ବେଳେ ତୁଳସୀଙ୍କୁ ବାଙ୍ଗିରିପୋଷି ଡାକ୍ତରଖାନାରେ ଥିବା ଏକ ଆମ୍ବୁଲାନ୍ସରେ ପଠାଯାଇଥିଲା। ଗାଡି ପ୍ରାୟ ୧୭ କି.ମି. ଦୂର ଯିବା ପରେ କାଠଶିର୍ଶୀ ନିକଟରେ ଏହାର ତେଲ ସରିଯାଇଥିଲା। ଫଳରେ ସେମାନେ ସେଠାରେ ପ୍ରାୟ ଦୁଇ ଘଣ୍ଟା ଅଟକି ରହିଥିଲେ। ପରେ ବାରିପଦାରୁ ୧୦୮ ଆମ୍ବୁଲାନ୍ସ ଯାଇ ତୁଳସୀଙ୍କୁ ପିଆର୍‌ଏମ୍‌ ମେଡିକାଲକୁ ଆଣିଥିଲା। ବିଳମ୍ବିତ ରାତିରେ ତୁଳସୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।