ଗର୍ଭାବସ୍ଥାରେ ରକ୍ତହୀନତା ଦେଖାଦେଲେ ଖାଆନ୍ତୁ ଏହିସବୁ ଫଳ

ବିଶେଷକରି ଗର୍ଭାବସ୍ଥାରେ ମହିଳାମାନେ ରକ୍ତହୀନତା ବା ଆନେମିଆ ରୋଗର ଶିକାର ହୋଇଥାନ୍ତି। ଯାହା ଉଭୟ ମାଆ ଏବଂ ପିଲା ପ୍ରତି ବିପଦ ସୃଷ୍ଟି କରିଥାଏ। ଏଥିରୁ ମୁକ୍ତି ପାଇଁ କେତେକ ଫଳ ବେଶ୍‌ ଲାଭଦାୟକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ଆସନ୍ତୁ ଜାଣିବା ଏ ସମ୍ପର୍କରେ…

ସେଓ : ରକ୍ତହୀନତା ବା ଆନେମିଆ ରୋଗ ପାଇଁ ସେଓ ବେଶ୍‌ ଲାଭଦାୟକ। ସେଓ ଖାଇଲେ ଗର୍ଭବତୀ ମହିଳାଙ୍କ ଶରୀରରେ ହିମୋଗ୍ଲୋବିନ୍‌ ମାତ୍ରା ବଢ଼ିବା ସହ ପେଟରୋଗ ସମସ୍ୟା ଦୂର ହୋଇଥାଏ।

ଅଙ୍ଗୁର : ଏଥିରେ ଭରପୂର ମାତ୍ରରେ ଆଇରନ ଥାଏ। ଶରୀରରେ ହିମୋଗ୍ଲୋବିନ ସୃଷ୍ଟି କରିବା ସହ ହିମୋଗ୍ଲୋବିନ ଅଭାବ ଜନିତ ସୃଷ୍ଟି ହେଉଥିବା ଅନ୍ୟାନ୍ୟ ରୋଗ ମଧ୍ୟ ଭଲ କରିବାରେ ସହାୟକ ହୋଇଥାଏ। ଅଙ୍ଗୁରରେ ଥିବା ଭିଟାମିନ୍‌ ‘ସି’ ବୟସ ବୃଦ୍ଧିର ଛାପ କମାଇଥାଏ।

ଆମ୍ବ : ଆମ୍ବରେ ପୋଷକତତ୍ତ୍ୱ ଭରି ରହିଛି। ଏଥରେ ଥିବା ଆଇରନ ରକ୍ତହୀନତା ଦୂର କରିବା ସହ ଶରୀରରେ ଅଧିକ ମାତ୍ରାରେ ଶକ୍ତି ସୃଷ୍ଟି କରିଥାଏ।

ନଡ଼ିଆ : ଗର୍ଭାବସ୍ଥାରେ ସଂକ୍ରମଣ ଠାରୁ ଦୂରେଇ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ନଡ଼ିଆ। ଆହୁରି ମଧ୍ୟ ନଡ଼ିଆ ମାଂସପେଶୀକୁ ମଜଭୁତ କରିବା ସହ ରକ୍ତହୀନତା ଦୂର କରିଥାଏ।

ପିଜୁଳି : ପାଚିଲା ପିଜୁଳି ଖାଇଲେ ଶରୀରରେ ହିମୋଗ୍ଲୋମିନ ବଢ଼ିଥାଏ। ଖାସ୍‌ କରି ପିଜୁଳି ମହିଳାମାନଙ୍କ ପାଇଁ ବେଶ୍‌ ଉପକାରୀ। ଗର୍ଭବତୀମାନେ ପ୍ରତିଦିନ ଅତି କମ୍‌ରେ ଗୋଟିଏ ଲେଖାଏ ପିଜୁଳି ଖାଇବା ଉଚିତ୍‌।

ରକ୍ତହୀନତା ରୋଗର ଲକ୍ଷଣ : ଶରୀରରୁ ଅଧିକ ମାତ୍ରାରେ ଝାଳ ବୋହିବା, ହାତ ପାଦ ଝିମ୍‌ଝିମ ହେବା, ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବା, କିଛିବାଟ ଚାଲିଗଲେ ଥକ୍କା ଲାଗିବା ଆଦି ରକ୍ତହୀନତା ରୋଗର ଲକ୍ଷଣ ଅଟେ। ଏସବୁ ଲକ୍ଷଣ ଦେଖାଦେଲେ ଗର୍ଭବତୀମାନେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍‌।