ଗର୍ଭିଣୀ ମଇଁଷିର ଜୀବନ ଭିକ୍ଷା

ବେଜିଂ: ଲୁହରେ ଲତପତ ଆଖି। ମୁହଁରେ ସ୍ପଷ୍ଟ ଭାବେ ବାରି ହୋଇପଡୁଛି ବଞ୍ଚତ୍ବାର ଅଭିଳାଷ। ସେଇଥିପାଇଁ ଗୋଡ଼ ଭାଙ୍ଗି ଜୀବନ ଫେରାଇ ଦେବାକୁ କଂସେଇଖାନାର କର୍ମଚାରୀଙ୍କୁ ନେହୁରା ହେଉଛି ଗର୍ଭିଣୀ ମଇଁଷିଟିଏ। ଦକ୍ଷିଣ ଚାଇନାରୁ ଏପରି ଏକ ହୃଦୟ ବିଦାରକ ଭିଡିଓ ଭାଇରାଲ ହୋଇଛି, ଯାହା ପୁଣି ଥରେ ମନେ ପକାଇଦେଇଛି ଭାରତୀୟ ସଂସ୍କୃତିର ମୂଳାଧାର ‘ଜୀବେ ଦୟା’କୁ।
ଗୁଆଙ୍ଗ୍‌ଡଙ୍ଗ୍‌ ଟିଭିର ରିପୋର୍ଟ ଅନୁଯାୟୀ, ଘଟଣାଟି ଘଟିଛି ରବିବାର। ଗୁଆଙ୍ଗଝୌ ପ୍ରାନ୍ତର ଏକ କଂସେଇଖାନା ଉକ୍ତ ମଇଁଷିକୁ କିଣିଥିଲା। ହେଲେ ଯେତେବେଳେ କଂସେଇଖାନାର କର୍ମଚାରୀମାନେ ମଇଁଷିକୁ ନେବାକୁ ପହଞ୍ଚତ୍ଥିଲେ, ସେତେବେଳେ ସୃଷ୍ଟି ହୋଇଥିଲା ଭାବାବେଗ ପରିବେଶ। ଗର୍ଭିଣୀ ମଇଁଷି ନିଜ ମାଲିକକୁ ଛାଡ଼ିଯିବାକୁ ପ୍ରସ୍ତୁତ ନ ଥିଲା। ଏପରି କି ତା’ ଆଖିରେ ଜକେଇ ଆସିଥିଲା ଲୁହ। କଥା ଏତିକିରେ ସରି ନ ଥିଲା। ଜୋରଜବରଦସ୍ତ ମଇଁଷିକୁ ଗାଡ଼ିରେ ଭର୍ତ୍ତି କରିବାକୁ ନେବା ବେଳକୁ ସେ ଥରକୁ ଥର ଆଗ ଦୁଇଗୋଡ଼ ଭାଙ୍ଗି ଅଟକି ଯାଉଥିଲା। ଏମିତି ଲାଗୁଥିଲା ମଇଁଷିଟି କଂସେଇଖାନା କର୍ମଚାରୀଙ୍କୁ ଜୀବନ ଫେରାଇ ଦେବାକୁ ଆକୁଳ ନିବେଦନ କରୁଛି। ଏହି ଦୃଶ୍ୟର ଭିଡିଓକୁ କେହିଜଣେ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରିଦେଇଥିଲେ। ଏହାପରେ ମଇଁଷି ପ୍ରତି ସୃଷ୍ଟି ହୋଇଥିଲା ସହାନୁଭୂତି। ତାକୁ ବଞ୍ଚାଇବାକୁ ସୋସିଆଲ ମଡିଆରେ ଆରମ୍ଭ ହେଲା ଅଭିଯାନ। ମାତ୍ର କେଇଘଣ୍ଟାରେ ସଂଗୃହୀତ ହୋଇଗଲା ୨ ଲକ୍ଷ ୫୦ ହଜାର ଟଙ୍କା। କେତେଜଣ ପ୍ରାଣୀପ୍ରେମୀ କଂସେଇଖାନା ମାଲିକକୁ ମଇଁଷିକୁ ନ ମାରିବାକୁ ଅନୁରୋଧ କରି ଫୋନ୍‌ ମଧ୍ୟ କଲେ। ସଂଗୃହୀତ ଟଙ୍କା କଂସେଇଖାନାର କର୍ମଚାରୀଙ୍କୁ ପ୍ରଦାନ କରାଯାଇଥିଲା। ଫଳରେ ଗର୍ଭିଣୀ ମଇଁଷି ପାଇଥିଲା ଜୀବନଦାନ। ଘଟଣା ସମ୍ପର୍କରେ ସ୍ଲଟର ହାଉସ୍‌ କର୍ମଚାରୀ ଲିନ୍‌ ବାଙ୍ଗ୍‌ବୋ କୁହନ୍ତି, ଅନିଚ୍ଛା ସତ୍ତ୍ୱେ ତାକୁ କଂସେଇଖାନାକୁ ଅଣାଯାଇଥିଲା। ସେତେବେଳେ ସେ ବାରମ୍ବାର ଗୋଡ଼ ମାଡ଼ି ଅଟକି ଯାଉଥିଲା। ସ୍ଲଟର ହାଉସ୍‌କୁ ଅଣାଯିବା ପରେ ତାକୁ ମାରିବାକୁ ସମସ୍ତ ପ୍ରକ୍ରିୟା ସରିଥିଲା। କାନରେ ମାର୍କ କରା ସରିଥିଲା। ସ୍ଲଟର ପଏଣ୍ଟକୁ ନିଆଯିବା ସମୟରେ ସେ ଜୋର୍‌ରେ ବୋବାଇବା ଆରମ୍ଭ କରିଥିଲା। ଏଥିରୁ ମଇଁଷିର ଜିଇଁବାର ଇଚ୍ଛା ସ୍ପଷ୍ଟ ପ୍ରତିଫଳିତ ହେଉଥିଲା। ମଇଁଷିକୁ ସ୍ଥାନୀୟ ଗୋଲ୍‌ଡେନ ଟେମ୍ପଲ ବୌଦ୍ଧ ମନ୍ଦିରକୁ ପ୍ରଦାନ କରାଯାଇଛି। ଏଥିସହ ତା’ର ଦେଖାରଖା କରିବାକୁ ୪୦ ହଜାର ଟଙ୍କା ମଧ୍ୟ ଦିଆଯାଇଛି। ସ୍ଲଟର ହାଉସରୁ ଉଦ୍ଧାର ପରେ ପୁଣି ଏକ ଭିଡିଓ ରେକର୍ଡିଂ କରାଯାଇଛି, ସେଥିରେ ମଇଁଷିଟି ପୁଣିଥରେ ନିଜ ଗୋଡ଼ରେ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଛି।

Share