Categories: ଜାତୀୟ

‘ଗର୍ଲଫ୍ରେଣ୍ଡଙ୍କ ନାଁରେ ଗୋଟିଏ ଗଛ ଲଗାନ୍ତୁ, ବ୍ରେକ୍‌ଅପ୍‌ ହେବ ନାହିଁ’

ନୂଆଦିଲ୍ଲୀ, ୧।୭: ପ୍ରଦୂଷଣକୁ ନେଇ ବଢୁଛି ଚିନ୍ତା। ଦିନକୁଦିନ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି। ଶିଳ୍ପର ବିକାଶ ସାଙ୍ଗକୁ ଜଙ୍ଗଲ କ୍ଷୟ ଏହାର ମୁଖ୍ୟ କାରଣ ପାଲଟିଛି। ପରିବେଶ ସୁରକ୍ଷା ପାଇଁ ଗଛ ଲଗାଇବା ନିହାତି ଆବଶ୍ୟକ ହୋଇପଡିଛି। ଏଭଳି ମହତ୍‌ ଉଦ୍ଦେଶ୍ୟକୁ ସାକାର କରିବା ପାଇଁ ଆଗେଇ ଆସିଛନ୍ତି ବିହାରର ବେଦ ପ୍ରକାଶ। ଏକ ନିଆରା ଢଙ୍ଗରେ ଲୋକଙ୍କୁ ଗଛ ଲଗାଇବା ପାଇଁ ସେ ପ୍ରରୋଚିତ କରୁଛନ୍ତି। ବିହାରରୁ ଆସି ଦିଲ୍ଲୀ ଏନ୍‌ସିଆର୍‌ ଅଞ୍ଚଳରେ ପ୍ଲାକାର୍ଡ ଧରି ଲୋକଙ୍କୁ ଗଛ ଲଗାଇବା ପାଇଁ ଉତ୍ସାହିତ କରୁଛନ୍ତି। ଆଜିକାଲି ଯୁବଗୋଷ୍ଠୀଙ୍କ ଧ୍ୟାନ ଆକର୍ଷଣ ପାଇଁ ପ୍ଲାକାର୍ଡରେ ‘ଗାର୍ଲଫ୍ରେଣ୍ଡଙ୍କ ନାଁରେ ଗୋଟିଏ ଗଛ ଲଗାନ୍ତୁ, ବ୍ରେକ୍‌ଅପ୍‌ ହେବ ନାହିଁ’ ବୋଲି ଲେଖି ସେ ଉତ୍ସାହିତ କରୁଛନ୍ତି। ବେଦ ପ୍ରକାଶଙ୍କ ଏଭଳି ପ୍ରୟାସ ନୂଆ ନୁହେଁ, ପୂର୍ବରୁ ସେ ସମାଜରୁ ନିଶାନିବାରଣ ପାଇଁ ମଧ୍ୟ ଏମିତି ଅଭିନବ ପ୍ରୟାସ ଆରମ୍ଭ କରିଥିଲେ। ମଦ, ସିଗାରେଟ୍‌ ଛାଡନ୍ତୁ ଗର୍ଲଫ୍ରେଣ୍ଡ୍‌ ସହ ସମ୍ପର୍କ ଯୋଡନ୍ତୁ ବୋଲି ପ୍ଲାକାର୍ଡରେ ଲେଖି ଗାଁଗାଁ ବୁଲି ଲୋକଙ୍କୁ ସଚେତନ କରିଥିଲେ। ସେହିପରି ପରିବେଶ ପ୍ରଦୂଷଣ ରୋକିବା ପାଇଁ ସେ ପ୍ଲାକାର୍ଡରେ ଗର୍ଲଫ୍ରେଣ୍ଡ୍‌ର ରାଣ, ମୁଁ ଦେଶକୁ ଅପରିଷ୍କାର ହେବାକୁ ଦେବି ନାହିଁ ବୋଲି ଲେଖିଥିଲେ।

Share