ଗଳାକାଟି ହତ୍ୟା ଘଟଣା: କୋର୍ଟରେ ହତ୍ୟାକାରୀଙ୍କ ଆତ୍ମସମର୍ପଣ

ବ୍ରହ୍ମପୁର ଅଫିସ,୧୩ା୧୨- ବ୍ରହ୍ମପୁର ରେଳଷ୍ଟେଶନ ୪ ନମ୍ବର ପ୍ଲାଟଫର୍ମରେ ଜଣେ ଯୁବକଙ୍କ ଗଳା କାଟି ହତ୍ୟା କରାଯାଇଥିଲା। ପୋଲିସ ଅଭିଯୁକ୍ତ ବି. ବୁଲା ଦୋରାଙ୍କୁ ଧରିପାରି ନ ଥିବା ବେଳେ ଗୁରୁବାର ସେ ଏସ୍‌ଡ଼ିଜେଏମ୍‌ଙ୍କ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ତାଙ୍କ ଜାମିନ ଆବେଦନକୁ ଏସ୍‌ଡ଼ିଜେଏମ୍‌ ଖାରଜ କରି ଦେଇଥିଲେ। ପରେ ଅଭିଯୁକ୍ତ ବୁଲାଙ୍କୁ ବିଚାର ବିଭାଗ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପଟେ ଏହି ହତ୍ୟା ଘଟଣାର ଅଧିକ ତଥ୍ୟ ହାସଲ କରିବା ପାଇଁ ରେଳବିଭାଗ ପୋଲିସ (ଜିଆରପି) ଅଭିଯୁକ୍ତ ବୁଲାଙ୍କୁ ୩ ଦିନ ରିମାଣ୍ଡରେ ଆଣିବ ବୋଲି ଜିଆରପି ଏସ୍‌ଡ଼ିଆରପିଓ ଚନ୍ଦ୍ର ଶେଖର ସାହୁ ସୂଚନା ଦେଇଛନ୍ତି। ଘଟଣାରୁ ପ୍ରକାଶ, ରେଳଷ୍ଟେଶନ ନିକଟରେ ଥିବା ଅନ୍ନପୂର୍ଣ୍ଣା ହୋଟେଲ ମାଲିକଙ୍କ ପୁଅ ଅନିଲ ପଣ୍ଡାଙ୍କୁ ଗତ ୩ ତାରିଖ ରାତିରେ ୪ନଂ. ପ୍ଲାଟଫର୍ମ ନିକଟରେ ହତ୍ୟା କରାଯାଇଥିଲା। ରେଳରେ ଯାତ୍ରୀଙ୍କ ଖାଦ୍ୟ ଯୋଗାଣକୁ କେନ୍ଦ୍ରକରି ଷ୍ଟେଶନରେ ହକର ଭାବେ କାମ କରୁଥିବା ବୁଲା ଗତ ୩ ତାରିଖ ରାତି ପ୍ରାୟ ସାଢ଼େ ୯ଟା ବେଳେ ଅନିଲ ପଣ୍ଡାଙ୍କ ଗଳା କାଟି ହତ୍ୟା କରିଥିଲେ ବୋଲି ପୋଲିସ କହିଥିଲା। ଜିଆରପି ପୋଲିସ ଏନେଇ ନଂ.୧୨୦/୧୯ରେ ଏକ ହତ୍ୟା ମାମଲା ରୁଜୁ କରିଥିଲା। ଅଭିଯୁକ୍ତଙ୍କୁ ଧରିବା ପାଇଁ ଜିଆରପି ୨ଟି ଟିମ ଗଠନ କରିଥିଲା। ହେଲେ ଅଭିଯୁକ୍ତଙ୍କ ଟେର ପାଇପାରି ନ ଥିଲା। ଘଟଣା ପରେ ଅଭିଯୁକ୍ତଙ୍କ କେତେକ ସମ୍ପର୍କୀୟଙ୍କୁ ପୋଲିସ ଥାନାରେ ଅଟକ ରଖି ଜେରା ଚଳାଇଥିଲା। ଅନ୍ୟପଟେ କୋର୍ଟରେ ବୁଲା ଆତ୍ମସମର୍ପଣ କରିବା ନେଇ ପୋଲିସ ଆଗୁଆ ସୂଚନା ପାଇ କୋର୍ଟ ପରିସରରେ ସାଦା ପୋଷାକରେ ପାଇଁତରା ମାରୁଥିଲା। ହେଲେ ଗୁରୁବାର ପୋଲିସକୁ ଚକମା ଦେଇ ହତ୍ୟାକାରୀ ବୁଲା ତାଙ୍କ ଆଇନଜୀବୀଙ୍କ ଜରିଆରେ କୋର୍ଟରେ ଆତ୍ମସମର୍ପଣ କରିଥିଲେ।