ଗଳାପୋଲ ନିର୍ମାଣ ଦାବିରେ ଜାତୀୟ ରାଜପଥ ଅବରୋଧ

ବାରିପଦା ଅଫିସ, ୧୧ା୨- ବାରିପଦା ସହର ମୁର୍ଗାବାଡ଼ି ଛକ ନିକଟସ୍ଥ ନିଗମାନନ୍ଦ ଆଶ୍ରମଠାରେ ନିର୍ମାଣଧିନ ପ୍ଲାଏଓଭରରେ ଏକ ଗଳା ପୋଲ ନିର୍ମାଣ ଦାବିରେ ଅଞ୍ଚଳବାସୀ ସୋମବାର ରାସ୍ତା ଅବରୋଧ କରିଥିଲେ। ପୂର୍ବାହ୍ନ ୧୦ଟାରେ ବାଲେଶ୍ୱର ଝାରପୋଖରୀଆ ୧୮ ନମ୍ବର ଜାତୀୟ ରାଜପଥକୁ ଅଞ୍ଚଳବାସୀ ଅବରୋଧ କରିବା ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପରେ ଅପରାହ୍ନ ୧ଟାରେ ବାରିପଦା ବିଧାୟକ ପ୍ରକାଶ ସୋରେନ, ଜାତୀୟ ରାଜପଥର ଅଧିକାରୀ ବିଦ୍ୟାଧର ପଣ୍ଡା, ଜିଲାସ୍ତରୀୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହିତ ୩ ଦିନ ଭିତରେ ଗଳାପୋଲ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଫଳରେ ଅଞ୍ଚଳବାସୀ ରାସ୍ତା ଅବରୋଧରୁ ହଟିଥିଲେ। ମୁର୍ଗାବାଡ଼ିଠାରୁ ରେଲେୱ ଲେଭଲ୍‌ କ୍ରସିଂ ପର୍ଯ୍ୟନ୍ତ ପାଖାପାଖି ୨ କି.ମି ଏହି ଫ୍ଲାଇଓଭର ନିର୍ମାଣ ହେବା ଫଳରେ ମୁର୍ଗାବାଡ଼ି ଛକଠାରେ ଥିବା ରାସ୍ତାଟି ବନ୍ଦ ହୋଇଯିବ। ଫଳରେ ବାରିପଦା ପୌରପାଳିକାର ୨୬ ଓ ୨୧ ନମ୍ବର ୱାର୍ଡ଼ ସମେତ ବେତନା ପଞ୍ଚାୟତର ଅଧିକାଂଶ ଲୋକ ହଇରାଣ ହେବେ। ବାରିପଦା ସହରକୁ ମୁର୍ଗାବାଡ଼ି ଛକ ଦେଇ ପ୍ରତିଦିନ ଯାତାୟତ କରୁଥିବା ଲୋକମାନେ ଅସୁବିଧାର ସମ୍ମୁଖୀନ ହେବେ। ତେଣୁ ସେଠାରେ ଏକ ଗଳା ପୋଲ ନିର୍ମାଣ ଦାବିରେ ଅଞ୍ଚଳବାସୀ ଗତ ୩୧ ତାରିଖରେ ଜିଲାପାଳଙ୍କ ଜରିଆରେ ଜାତୀୟ ରାଜପଥର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଅବଗତ କରାଇଥିଲେ। ହେଲେ ଅଦ୍ୟାବଧି ଏହାର କୌଣସି ସମାଧାନ ହୋଇ ନ ଥିବାରୁ ରାସ୍ତା ଅବରୋଧ କରାଯାଇଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।

Share