ଗଳାପୋଲ ନିର୍ମାଣ ଦାବି ତେଜିଲା: ରାଣୀତାଲ ବଜାର ବନ୍ଦ, ପ୍ରତିବାଦ ସଭା

ଭଦ୍ରକ ଅଫିସ, ୨୪ା୧୨- ଭଦ୍ରକ ଉପକଣ୍ଠବର୍ତ୍ତୀ ରାଣୀତାଲ ସ୍କୁଲ ଓ ବଜାର ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଗଳାପୋଲ ନିର୍ମାଣ ଦାବିରେ ମଙ୍ଗଳବାର ସ୍ଥାନୀୟ ବଜାର ବନ୍ଦ ରଖାଯାଇ ପ୍ରତିବାଦ ସଭା କରାଯାଇଥିଲା। ଆଗାମୀ ଦିନରେ ପ୍ରଶାସନ ଦାବି ପ୍ରତି ଦୃଷ୍ଟି ନ ଦେଲେ ରାଜପଥ ସମ୍ପ୍ରସାରଣ କାର୍ଯ୍ୟକୁ ବନ୍ଦ କରାଯିବ ବୋଲି ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଥିଲେ ।

୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱସ୍ଥ ରାଣୀତାଲ ନିକଟରେ ଏହି ପ୍ରତିବାଦ ସଭା ଆୟୋଜିତ ହୋଇଥିଲା। ରାଣୀତାଲ ବଜାରର ସମସ୍ତ ବ୍ୟବସାୟୀଙ୍କ ସମେତ ସ୍ଥାନୀୟ ବିକାଶ ମଞ୍ଚର ସଦସ୍ୟ ଓ ଅଞ୍ଚଳର ବହୁ ବାସିନ୍ଦା ଆନ୍ଦୋଳନରେ ସାମିଲ ହୋଇଥିଲେ। ରାଣୀତଲାଓ ହାଇସ୍କୁଲ ଓ ରାଣୀତାଲ ବଜାର ନିକଟରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସଭାରେ ଉଦ୍‌ବେଗ ପ୍ରକାଶ କରାଯାଇଥିଲା। ଏଭଳି ସମସ୍ୟା ପ୍ରତି ରାଜପଥ କର୍ତ୍ତୃପକ୍ଷ ଦୃଷ୍ଟି ନ ଦେବା ଏକ ବିଡମ୍ବନା। ଗତବର୍ଷ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଛାତ୍ରୀଛାତ୍ରଙ୍କ ଜୀବନ ଚାଲିଯାଇଥିଲା। ଏହା ବ୍ୟତୀତ ଗତ ଏକ ବର୍ଷ ମଧ୍ୟରେ ୧୦ ରୁ ଊର୍ଦ୍ଧ୍ୱ ଦୁର୍ଘଟଣା ଘଟିଲାଣି। ଏଠାରେ ଗଳାପୋଲ ନିର୍ମାଣ ହେଲେ ଟ୍ରାଫିକ ସମସ୍ୟାର ସମାଧାନ ହୋଇ ପାରିବ। ପ୍ରଶାସନ ଦାବି ପ୍ରତି ଅଣଦେଖା କଲେ ଲୋକେ ଆଇନକୁ ହାତକୁ ନେବା ପାଇଁ ବାଧ୍ୟ ହେବେ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି।