ଗଳ୍ପ ସାହିତ୍ୟରେ ନୂଆ ଧାରା ଆଣିଥିଲେ କହ୍ନେଇଲାଲ୍‌

ବାଲେଶ୍ୱର ଅଫିସ,୨୮।୬-ମଣିଷ ଜୀବନର ବାସ୍ତବ ଚିତ୍ରକୁ କାହାଣୀରେ ରୂପ ଦେଇ ବିଶିଷ୍ଟ କଥାକାର କହ୍ନେଇଲାଲ୍‌ ଦାସ ଓଡିଆ ଗଳ୍ପ ସାହିତ୍ୟରେ ଏକ ନୂଆ ଧାରା ସୃଷ୍ଟି କରିଥିଲେ। ସତୁରି ଦଶକର ଓଡ଼ିଆ କଥା ସାହିତ୍ୟରେ ଯେଉଁ ପଟ୍ଟ ପରିବର୍ତ୍ତନ ଘଟିଥିଲା ସେଥିରେ ଅନ୍ୟ କଥାକାରଙ୍କ ମଧ୍ୟରେ କହ୍ନେଇଲାଲ୍‌ ଅନ୍ୟତମ ଥିଲେ ବୋଲି ତାଙ୍କ ୭୨ତମ ଜୟନ୍ତୀ ସମାରୋହରେ ଅତିଥି ଓ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।
ଗୁରୁବାର ସନ୍ଧ୍ୟାରେ ଏକ ଘରୋଇ ହୋଟେଲ ସଭାଗୃହରେ କଥାକାର କହ୍ନେଇଲାଲ ଦାସଙ୍କ ଜୟନ୍ତୀ ସମାରୋହ ଅବସରରେ ‘କହ୍ନେଇ୍‌ କଥା ପୁରସ୍କାର’ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବାଲେଶ୍ୱର କହ୍ନେଇଲାଲ୍‌ ସ୍ମୃତି ସଂସଦ ଏବଂ ଓଡ଼ିଶା ସାହିତ୍ୟ ଏକାଡ଼େମୀର ମିଳିତ ସହଭାଗିତାରେ ଆୟୋଜିତ ଏହି ଉତ୍ସବରେ ବିଶିଷ୍ଟ ବାମବାଦୀ ଲେଖିକା ଡ. ସରୋଜିନୀ ସାହୁ ମୁଖ୍ୟଅତିଥି ଏବଂ ବିଶିଷ୍ଟ ଗାଳ୍ପିକ ସଦାନନ୍ଦ ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ କହ୍ନେଇଲାଲ୍‌ଙ୍କ ଗଳ୍ପଭୂମିର ସାରସ୍ବତ ଆବେଦନ ଉପରେ ଆଲୋକପାତ କରିଥିଲେ। କବି ଶ୍ରୀଦେବ ପ୍ରଥମେ ମଞ୍ଚ ଆହ୍ବାନ କରି ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂସଦର ସମ୍ପାଦକ ଉପତ୍ଳ ମହାନ୍ତି ବିବରଣୀ ପାଠ କରିଥିଲେ। କମର୍ଦ୍ଦାସ୍ଥିତ ସ୍ମୃତି ସଂସଦର ସମ୍ପାଦକ କିଶୋରୀ କିଙ୍କର ଦାସ କହ୍ନେଇଲାଲ୍‌ଙ୍କ ସ୍ମୃତିଚାରଣ କରିବା ସହ ଜୁଲାଇ ୨୭ ତାରିଖରେ ତାଙ୍କ ସ୍ମୃତିରକ୍ଷା ପାଇଁ ପ୍ରତିମୂର୍ତ୍ତି ଉନ୍ମୋଚନ ହେବ ବୋଲି ସୂଚନା ଦେଇଥିଲେ। ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଦସ୍ୟ କବି ହରିଶ୍ଚନ୍ଦ୍ର ବେହେରା କହ୍ନେଇଲାଲ୍‌ଙ୍କ ଗଳ୍ପର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ଆବାହକ ଗୌତମ ବୁଦ୍ଧ ଦାସ କହ୍ନେଇଲାଲ୍‌ଙ୍କ ଡାଏରୀ ରଚନାରୁ କିଛି ଅଂଶ ପାଠ କରିଥିଲେ। ଏହି ଅବସରରେ ଯୁବ କଥାକାର ଅମରେଶ ବିଶ୍ୱାଳଙ୍କୁ ୫ମ କହ୍ନେଇ କଥା ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ସ୍ବରୂପ ତାଙ୍କୁ ୫ହଜାର ଟଙ୍କା, ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା। ସଂସଦର କାର୍ଯ୍ୟକାରୀ ସଭାପତି କବି କୃଷ୍ଣ କୁମାର ମହାନ୍ତି ମାନପତ୍ର ପାଠ କରିଥିଲେ। ସଂସଦ ସଭାପତି ସୁବାସ ଚନ୍ଦ୍ର ପାତ୍ର ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ଶେଷରେ ସହସମ୍ପାଦକ ରାଜେଶ ଗିରି ଧନ୍ୟବାଦ ଅର୍ପଣ କରିଥିଲେ। ସହରର ବହୁ ବିଶିଷ୍ଟ ସାହିତି୍ୟକ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।