Categories: ଖେଳ

ପାକିସ୍ତାନ ଗସ୍ତ ପୂର୍ବରୁ ଶ୍ରୀଲଙ୍କା ଦଳକୁ ଆତଙ୍କବାଦୀ ଆକ୍ରମଣ ଧମକ

କଲମ୍ବୋ, ୧୨।୯ (ଏଏଫ୍‌ପି)- ଆଗାମୀ ପାକିସ୍ତାନ ଗସ୍ତ ପୂର୍ବରୁ ଶ୍ରୀଲଙ୍କା କ୍ରିକେଟ୍‌ ଦଳକୁ ଆତଙ୍କବାଦୀ ଆକ୍ରମଣ ଧମକ ମିଳିଛି। ଶ୍ରୀଲଙ୍କା କ୍ରିକେଟ୍‌ (ଏସ୍‌ଏଲ୍‌) ପକ୍ଷରୁ ବୁଧବାର ରାତିରେ ଏନେଇ ସ୍ପଷ୍ଟ କରାଯାଇଛି। ଶ୍ରୀଲଙ୍କା ବୋର୍ଡ ପକ୍ଷରୁ କୁହାଯାଇଛି କି, ଏହି ୬ ମ୍ୟାଚ୍‌ବିଶିଷ୍ଟ ସୀମିତ ଓଭର ସିରିଜ ଗସ୍ତ ପୂର୍ବରୁ ଜାତୀୟ ଦଳ ଉପରେ ‘ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ଥିବା ନେଇ ବିଶ୍ୱସ୍ତ ସୂଚନା’ ମିଳିବା ପରେ ‘ସ୍ଥିତିର ପୁନଃ ସମୀକ୍ଷା କରିବା ପାଇଁ’ ପ୍ରଧାନମନ୍ତ୍ରୀଙ୍କ ଅଫିସ ପକ୍ଷରୁ କୁହାଯାଇଛି। ଫଳରେ ଏହି ବହୁପ୍ରତୀକ୍ଷତ ସିରିଜ ଏବେ ଆଶଙ୍କା ମଧ୍ୟକୁ ଚାଲିଯାଇଛି। ଶ୍ରୀଲଙ୍କା ସରକାରୀ ଅଧିକାରୀଙ୍କ ନିକଟରୁ ସୁରକ୍ଷା ସ୍ଥିତି ନେଇ ଆଶ୍ୱସନା ମଗାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ବୁଧବାର ଏହି ସିରିଜ ଲାଗି ଶ୍ରୀଲଙ୍କା ଦଳ ଘୋଷଣା ହେବାର କିଛି ସମୟ ପରେ ଆତଙ୍କବାଦୀ ଆକ୍ରମଣ ନେଇ ଧମକ ମିଳିଥିଲା। ଉଲ୍ଲେଖ୍ୟଯୋଗ୍ୟ, ୨୦୦୯ରେ ଲାହୋରରେ ଶ୍ରୀଲଙ୍କା ଖେଲାଳିଙ୍କ ବସ୍‌ ଉପରକୁ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୬ ଖେଳାଳି ଆହତ ହୋଇଥିଲେ। ଏହାପରଠାରୁ କୌଣସି ବଡ଼ କ୍ରିକେଟ୍‌ ଦଳ ପାକିସ୍ତାନ ଗସ୍ତରେ ଯିବାକୁ ରାଜି ହେଉନାହାନ୍ତି। ମାଲିଙ୍ଗା, କରୁଣାରତ୍ନେଙ୍କ ସମେତ ଥିସାରା ପେରେରା, ଆଞ୍ଜେଲୋ ମାଥ୍ୟୁସ, ନିରୋଶାନ ଡିକ୍‌ଓ୍ବେଲା, କୁସଲ ପେରେରା, ଧନଞ୍ଜୟ ଡି ସିଲ୍‌ଭା, ଅକିଲ ଧନଞ୍ଜୟ, ସୂରଙ୍ଗ ଲାକମଲ ଓ ଦିନେଶ ଚାଣ୍ଡିମାଲ ଚଳିତ ପାକିସ୍ତାନ ଗସ୍ତରୁ ଓହରି ଯାଇଛନ୍ତି।

Share