Categories: ଗଞ୍ଜାମ

ଗସ୍‌ମା ମାଓବାଦୀ -ପୋଲିସ ଗୁଳି ମାମଲାସବ୍ୟସାଚୀଙ୍କ ବିରୋଧରେ ପୋଲିସ ଦେଲା ସାକ୍ଷୀ

ଭଞ୍ଜନଗର,୨୩।୬(ଡି.ଏନ.ଏ.)-ଗଞ୍ଜାମ ଜିଲା ଗାଲେରୀ ଫାଣ୍ଡି ପୋଡ଼ି ମାମଲା ଓ ଏହାପରେ ଗସମା ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟ ମାମଲାର ଶୁକ୍ରବାର ଓ ଶନିବାର ସାକ୍ଷୀମାନଙ୍କ ବୟାନ ରେକର୍ଡ଼ ଭଞ୍ଜନଗର ଏଡ଼ିଜେଙ୍କ କୋର୍ଟରେ ହୋଇଥିଲା। ୬ଜଣ ପୋଲିସ ବା ସ୍ବତନ୍ତ୍ର ଅପରେଶନ ଗ୍ରୁପ୍‌ କର୍ମଚାରୀ ଉକ୍ତ ଗୁଳି ବିନିମୟ ଏବଂ ଫାଣ୍ଡି ପୋଡ଼ି ମାମଲାରେ ସାକ୍ଷୀ ଦେଇଛନ୍ତି । ସେଥିମଧ୍ୟରୁ କେତେକ ଯବାନ ସବ୍ୟସାଚୀଙ୍କ ବିରୋଦ୍ଧରେ ସାକ୍ଷୀ ଦେଇଛନ୍ତି ବୋଲି ସରକାରୀ ଓକିଲ ଡ଼. ସୁଶାନ୍ତ କୁମାର ତ୍ରିପାଠୀ ସୁଚନା ଦେଇଛନ୍ତି । ଏହାପରେ ସବ୍ୟସାଚୀଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ବ୍ରହ୍ମପୁର ଜେଲକୁ ପଠାଇ ଦିଆଯାଇଛି । ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଏମ୍‌.ତାଜ୍‌ ଆଦେନୀ, ସୁଶାନ୍ତ ତ୍ରିପାଠୀ,ବିମ୍ବାଧର ଷଡଙ୍ଗୀ ଓ ମୁଦଲାଙ୍କ ପକ୍ଷରୁ ଦଣ୍ଡପାଣି ସ୍ବାଇଁ, ସମୀର ନାୟକ ମକଦ୍ଦମା ପରିଚାଳନା କରୁଛନ୍ତି । ଗସମା ଘଟଣାରେ ୯୨ଜଣ ସାକ୍ଷୀ ଥିବାବେଳେ ଶନିବାର ସୁଦ୍ଧା ୨୨ଜଣ ସାକ୍ଷୀ ଦେଇଛନ୍ତି । ସେହିଭଳି ଗାଲେରୀ ଫାଣ୍ଡି ପୋଡ଼ି ମାମଲାରେ ୫୭ଜଣ ସାକ୍ଷୀ ଥିବାବେଳେ ୧୧ ସାକ୍ଷୀ ଦେଇଛନ୍ତି ।
ପ୍ରକାଶଯେ, ୨୦୦୮ ଫେବୃୟାରୀ ୧୫ ତାରିଖ ରାତିରେ ମାଓବାଦୀମାନେ ନୟାଗଡ଼ ଅସ୍ତ୍ରାଗାର ଲୁଟିବା ପରେ ଗଞ୍ଜାମ ଜିଲା ଗାଲେରୀ ଫାଣ୍ଡି ଅଭିମୁଖେ ଆସିଥିଲେ। ୧୬ ତାରିଖ ପ୍ରତ୍ୟୁଷରେ ପୋଲିସର ଲକ୍ଷ୍ୟ ଭ୍ରଷ୍ଟ କରିବା ପାଇଁ ଗାଲେରୀ ଫାଣ୍ଡିକୁ ବୋମା ପକାଇ ଉଡ଼ାଇ ଦେଇଥିଲେ। ଏହାପରେ ମାଓବାଦୀମାନେ ଗଞ୍ଜାମ- କନ୍ଧମାଳ ଜିଲା ସୀମାବର୍ତ୍ତୀ ଗସମା ଜଙ୍ଗଲକୁ ଚାଲିଯାଇଥିଲେ। ଏହାପରେ ପୋଲିସ ପକ୍ଷରୁ କୋମ୍ବିଂ ଅପରେଶନ କରାଯାଇଥିଲା। ଏଥିରେ ୩ଜଣ ଯବାନ ଶହୀଦ ହୋଇଥିଲେ । ଏଥିସହ ୨୦ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ପୋଲିସ ପକ୍ଷରୁ ସେ ସମୟରେ ଦାବି କରାଯାଇଥିଲା । କିନ୍ତୁ ପୋଲିସ ଗୋଟିଏ ବି ମୃତଦେହ ମାଓବାଦୀଙ୍କର ଠାବ କରି ପାରି ନ ଥିଲା। ଏହାପରେ ଗଜପତି ଜିଲାରେ ୨ଜଣ ମାଓବାଦୀ ଏହି ଗୁଳି ବିନିମୟରେ ମୃତ୍ୟୁ ବରଣ କରିଥିବା ଘୋଷଣା କରାଯାଇଥିଲା । ପୋଲିସ ନୟାଗଡ଼ ପୋଲିସ ଅସ୍ତ୍ରାଗାରରୁ ଲୁଟ୍‌ ଅସ୍ତ୍ରଶସ୍ତ୍ର ମଧ୍ୟରୁ ଅଧିକାଶଂ ଅସ୍ତ୍ରଶସ୍ତ୍ର ଜବତ କରିବାରେ ସକ୍ଷମ ହୋଇଥିଲା ।