ଗହ୍ମାପୂର୍ଣ୍ଣିମାରେ ନଡ଼ିଆ ଲଢ଼େଇ ପରମ୍ପରା

ସାକ୍ଷୀଗୋପାଳ, ୧୫।୮(ଡି.ଏନ୍‌.ଏ.): ଗହ୍ମାପୂର୍ଣ୍ଣିମା ଅବସରରେ ପୁରୀ ଜିଲା ସାକ୍ଷୀଗୋପାଳ ଅଞ୍ଚଳରେ ନଡ଼ିଆ ଲଢ଼େଇ ପରମ୍ପରା ରହିଛି। ବାତ୍ୟା ‘ଫନୀ’ରେ ବହୁ ସଂଖ୍ୟକ ନଡ଼ିଆ ଗଛ ଭାଙ୍ଗିଯାଇଥିଲେ ମଧ୍ୟ ଗୁରୁବାର ସ୍ଥାନୀୟ ଅଞ୍ଚଳରେ ନଡ଼ିଆ ଲଢ଼େଇ ଦେଖିବାକୁ ମିଳିଛି। ଏହି ଅବସରରେ ଯିଏ ଯେତେ ନଡ଼ିଆ ଭାଙ୍ଗିଥାଏ ସେହି ନଡ଼ିଆଗୁଡ଼ିକ ତା’ର ପ୍ରାପ୍ୟ ହୋଇଥାଏ। ସବୁ ନଡ଼ିଆ ଲଢ଼େଇ ପାଇଁ ଉପଯୋଗୀ ହୋଇ ନ ଥାଏ। ସାଧାରଣତଃ ମୋଟା ଷଢ଼େଇ ଓ ଲମ୍ବା ନଡ଼ିଆଗୁଡିକ ଲଢ଼େଇ ପାଇଁ ସଂଗ୍ରହ କରି ଆଣିବାକୁ ପଡିଥାଏ। ପୂର୍ବରୁ ଚିହ୍ନଟ ଲଢ଼େଇ ନଡ଼ିଆ ଗଛ ମାଲିକଙ୍କଠାରୁ ନଡ଼ିଆ ଆଗରୁ କିଣି ଏହାକୁ ଛଡେଇ, ପାଣିରେ ବୁଡାଇ କସ କରିବା ପରେ ଏହା ଲଢ଼େଇ ନିମନ୍ତେ ଉପଯୋଗୀ ହୋଇଥାଏ। ତିନି ଶହ ଟଙ୍କାରେ ଗୋଟିଏ ନଡ଼ିଆ କିଣିବାକୁ ପଡିଥାଏ। ସାକ୍ଷୀଗୋପାଳ ଦୋଳବେଦି ଛକ, ବସଷ୍ଟାଣ୍ଡ, ପଟ୍ଟନାୟିକିଆ, ବରାଳ, ଶ୍ରୀରାମଚନ୍ଦ୍ରପୁର, ବୀରଗୋବିନ୍ଦପୁର, ବିଶ୍ୱନାଥପୁର, କାଦୁଆ, ଅଳଗୁମ, ବିଧାରପୁର ଆଦି ଗ୍ରାମରେ ନଡ଼ିଆ ଲଢ଼େଇ କରାଯାଇଛି। ଜଣେ ଜଣେ ପ୍ରତିଯୋଗୀ ୧୦୦ରୁ ଅଧିକ ନଡ଼ିଆ ଭାଙ୍ଗି ଥିଲେ।