ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ: ଖଟିଆରେ ମହିଳାଙ୍କୁ ବୋହି ମେଡିକାଲରେ ଭର୍ତ୍ତି କଲେ ପରିବାର ଲୋକ

ପଦ୍ମପୁର,୩୧ା୫(ଡି.ଏନ.ଏ.)-ରାସ୍ତା ଖରାପ ଯୋଗୁ ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ। ଫଳରେ ଅସହ୍ୟ ଯନ୍ତ୍ରଣା ଭୋଗୁଥିବା ଜଣେ ମହିଳାଙ୍କୁ ପରିବାର ଲୋକ ଖଟିଆରେ ବୋହି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ଏପରି ଅଭାବନୀୟ ଘଟଣା ରବିବାର ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିରସ ପଞ୍ଚାୟତ ବହୁପୋଖରୀ ଗ୍ରାମରେ ଦେଖିବାକୁ ମିଳିଛି।
ପ୍ରକାଶ ଯେ, ବହୁପୋଖରୀ ଗ୍ରାମର ଭାରତୀ ମହାଲିକଙ୍କ ଛାତି ଓ ପେଟ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା। ହେଲେ ଗ୍ରାମକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଆସିପାରିନଥିଲା। ଧିରେ ଧିରେ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ଶେଷରେ ପରିବାର ଲୋକେ ଖଟିଆରେ ବୋହି ତାଙ୍କୁ ବାସୁଦେବପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତୁରନ୍ତ ଗ୍ରାମ ରାସ୍ତାକୁ ସବୁଦିନିଆ ରାସ୍ତାରେ ପରିଣତ କରିବା ପାଇଁ ଗ୍ରାମର ଦେବେନ୍ଦ୍ର ନାୟକ, ବିଜୟ ମହାଲିକ, ଅଜୟ ବେହେରା, ସୁକାନ୍ତ ବେହେରା ପ୍ରମୁଖ ଦାବି କରିଛନ୍ତି। ଏନେଇ ସରପଞ୍ଚ ଦୟାନିଧି ଦାସଙ୍କୁ ପଚାରିବାରୁ ଚଳିତବର୍ଷ ରାସ୍ତାର ସୁରକ୍ଷା ପ୍ରାଚୀର ନିର୍ମାଣ ପାଇଁ ସେ ଏକ୍ସନପ୍ଲାନ ତିଆରି କରି ଅନୁମୋଦନ ପାଇଁ ପ୍ରଶାସନ ନିକଟରେ ଉପସ୍ଥାପନ କରିଛନ୍ତି ବୋଲି କହିଛନ୍ତି।

Share