ଗାଁକୁ ଛାଡିଲେ ନାହିଁ, ପୋଲ ତଳକୁ ଖସି ପଡିଲେ

ଲୋଇସିଂହା,୨୨ା୪(ଡି. ଏନ .ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କୁଟରାପାଲି-ଝାରମୁଣ୍ଡା ରାସ୍ତାର କୁଟରାପାଲି ପୋଲତଳୁ ମଙ୍ଗଳବାର ରାତିରେ ଜଣେ ବ୍ୟକ୍ତିଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ବିଙ୍ଗହ୍ୟୁମାନ ଫାଉଣ୍ଡେଶନର ସ୍ବେଚ୍ଛାସେବୀମାନେ ଅଗ୍ନିଶମ ବିଭାଗ ସହାୟତାରେ ତାଙ୍କୁ ଉଦ୍ଧାର କରି ଲୋଇସିଂହା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ସୁସ୍ଥତା ଅନୁଭବ ପରେ ବ୍ୟକ୍ତି ଜଣକ ତାଙ୍କ ପରିଚୟ ଦେଇଛନ୍ତି। ଆହତ ବ୍ୟକ୍ତି ଜଣକ ହେଲେ ପାଟଣାଗଡ଼ ବ୍ଲକ ଭଇଁଷା ଗାଁର ନନ୍ଦରାଜ ଠାକୁର। କରୋନା କଟକଣା ଯୋଗୁ ସେ କିପରି ନିଜ ଗ୍ରାମର ଲୋକଙ୍କ ଦ୍ୱାରା ବାରଣର ଶିକାର ହୋଇ ଗଁା ମୁଣ୍ଡରୁ ଫେରି ଆସିଲେ ଏବଂ ପୋଲ ତଳକୁ ଖସି ପଡି ଅଚେତ ହୋଇଥିଲେ ତାହା କହିଛନ୍ତି।
ନନ୍ଦରାଜଙ୍କ ସୂଚନା ଅନୁସାରେ କିଛିବର୍ଷ ତଳେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି। ଦୁଇଝିଅଙ୍କ ବାହାଘର ସରିଥିବା ବେଳେ ଏକମାତ୍ର ପୁଅ ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି। ପେଟପାଟଣା ପାଇଁ ସେ ବରଗଡ଼ର ଏକ ହୋଟେଲରେ କାମ କରୁଛନ୍ତି। ଲକ୍‌ଡାଉନ ଯୋଗୁ ହୋଟେଲ ବନ୍ଦ ହୋଇଯିବାରୁ ସେ ସାଇକେଲରେ ବରଗଡ଼ରୁ ଗାଁକୁ ଆସିଥିଲେ। ମଙ୍ଗଳବାର ନନ୍ଦରାଜ ନିଜ ଭଇଁଷା ପଞ୍ଚାୟତରୁ ଚାଉଳ ଓ ଟଙ୍କା ଗ୍ରହଣ କରି ଘରକୁ ଯାଇଥିଲେ। ହେଲେ କାମ କରି ଅନ୍ୟ ଜିଲାରୁ ଆସିଥିବାରୁ ଗାଁର କେତେକ ଲୋକେ ଗଁା ଭିତରକୁ ପଶିବାକୁ ବାରଣ କରିଥିଲେ। ତେଣୁ ବାଧ୍ୟ ହୋଇ ସେ କର୍ମକ୍ଷେତ୍ର ବରଗଡ଼କୁ ସାଇକେଲରେ ଫେରୁଥିଲେ। ଦୀର୍ଘ ବାଟ ସାଇକେଲରେ ଆସିବା ଓ ସହସା ଫେରିବା ଯୋଗୁ ସେ ଭୀଷଣ କ୍ଲାନ୍ତ ଅନୁଭବ କରିଥିଲେ। କୁଟରାପାଲି-ଝାରମୁଣ୍ଡା ରାସ୍ତାର କୁଟରାପାଲି ପାଖରେ ପହଞ୍ଚି ଥିବା ବେଳେ ମୁଣ୍ଡ ଘୁରାଇ ଦେଇଥିଲା ଓ ସେ ପଡି ଯାଇଥିଲେ। ଏହା ପରେ କ’ଣ ହୋଇଛି ତାହା ସେ ଜାଣି ନାହାନ୍ତି। ଚେତା ଫେରିବା ବେଳକୁ ସେ ପୋଲତଳେ ପଡିଥିଲେ। ତାଙ୍କ ମୁହଁରେ ଆଘାତ ଲାଗି ଭୀଷଣ କଷ୍ଟ ହେଉଥିଲା। ଅନ୍ୟପକ୍ଷେ ଲକ୍‌ଡାଉନ ଯୋଗୁ ଲୋକଙ୍କ ଯାତାୟତ କମ୍‌ ଥିବାରୁ ଦୀର୍ଘ ସମୟ ଧରି ସେ ପୋଲତଳେ ସେମିତି ପଡି ରହିଥିଲେ ବୋଲି କହିଛନ୍ତି।

Share