ଗାଁଗଣ୍ଡାରେ କୁମାର ପୂର୍ଣ୍ଣିମା ଉତ୍ସବ: ଆଗ ଭଳି ନାହିଁ ପୁଚିଖେଳ କି ଫୁଲବଉଳବେଣୀ ଗୀତର ମଉଜ

ଭଣ୍ଡାରିପୋଖରୀ, ୧୪ା୧୦(ଡି.ଏନ୍‌.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳ କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା ଲାଗି ରବିବାର ଉତ୍ସବ ମୁଖର ହୋଇଉଠିଛି। କୁମାରୀମାନେ ଓଷା କରିବା ସହ ନୂତନ ବସ୍ତ୍ର ପରିଧାନ କରି କୁମାର ପୂର୍ଣ୍ଣିମା ଉତ୍ସବ ପାଳନ କରିଥିଲେ। ଗାଁ ଦାଣ୍ଡ ଚଉଁରା ମୂଳେ ମା’ ବୃନ୍ଦାବତୀଙ୍କ ପାଖରେ କୁଆଁରୀମାନେ ଭୋଗ ଲଗାଇବା ସହ ଚାନ୍ଦ ପୂଜା କରିଥିଲେ। ଏଥର ପୂଜା ଲାଗି ସବୁଠି କଇଁଫୁଲର ଅଭାବ ପରିଲକ୍ଷିତ ହୋଇଥିଲା। ବଜାରରେ କଇଁଫୁଲ ଗୋଟା ୧୦ ରୁ ୨୦ ଟଙ୍କାରେ ବିକ୍ରି ହୋଇଥିଲା।
ଗୃହିଣୀ ପ୍ରମିଳା ବେହେରା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଆଧୁନିକ ସଭ୍ୟତା ପ୍ରଭାବରେ ଦିନକୁ ଦିନ ପାରମ୍ପରିକ ପୂଜା ଓ ଓଷା ହଜିବାକୁ ବସିଲାଣି । ଗୃହିଣୀ ଅର୍ଚ୍ଚନା ଆନ୍ଦିଆ ଅନୁରୂପ ମତ ପ୍ରକାଶ କରି କହିଛନ୍ତି, ଆଗରୁ କୁମାର ପୂର୍ଣ୍ଣିମା ଉତ୍ସବରେ ଝିଅମାନେ ଚାନ୍ଦ ପୂଜା କରି ପୁଚି ଖେଳିବା ସହ ଗୀତ ବୋଲୁଥିଲେ। ବର୍ତ୍ତମାନ ଆଉ ସେଭଳି ଦେଖିବାକୁ ମିଳୁ ନାହିଁ ା ସସ୍ମିତା ବେହେରା କହିଛନ୍ତି, ଆମେ ପିଲାବେଳେ ଧୁମ୍‌ଧାମରେ ଏହି ଉତ୍ସବ ପାଳୁଥିଲୁ। ଏବେକାର ନୀତି ଭିନ୍ନ। ଆଗରୁ କୁଆଁରୀ ମାନେ ରଙ୍ଗବେରଙ୍ଗ ଫୁଲ ପାଖୁଡାରେ ସାଜସଜ୍ଜା କରୁଥିବାରୁ ଘର ସମେତ ଗାଁ ଦାଣ୍ଡ ଓ ଚଉଁରା ମୂଳ ହସି ଉଠୁଥିଲା। କଇଁଫୁଲରେ ମା’ ବୃନ୍ଦାବତୀଙ୍କୁ ସଜାଯାଉଥିଲା। ‘କଆଁର ପୁନେଇ ଜହ୍ନ ଗୋ ଫୁଲ ବଉଳ ବେଣୀ’ ଗୀତରେ ପରିବେଶ ଚହଟି ଉଠୁଥିଲା। ଏବେ ଗାଁ ପୋଖରୀ ଓ ରାସ୍ତପାଖ ନାଳରେ କଇଁଫୁଲ ଫୁଟୁ ନ ଥିବା ଓ ବଜାରରେ ଆବଶ୍ୟକ ପରିମାଣର ଫୁଲ ମିଳୁ ନ ଥିବାରୁ କୁଆଁରୀମାନଙ୍କ ମଧ୍ୟରେ ଏହି ପୂଜା ଲାଗି ଆଗ୍ରହ ରହୁ ନାହିଁ ା ତେଣୁ ଆଗଭଳି କୁମାର ପୂର୍ଣ୍ଣିମା ପାଳନର ସରସତା ଆଉ କେଉଁଠି ଦେଖିବାକୁ ମିଳୁନି। କେବଳ କାମଚଳା ନ୍ୟାୟରେ ବିଧି ପାଳନ କରାଯାଉଛି।

Share