ଗାଁଠୁ ସହର ସବୁଠି କରୋନା ଭୟ: ଜୀବିକା ଆଗରେ ପଡ଼ିଛି ଫିକା

ରାଇକିଆ,୨୮।୩(ଡି.ଏନ୍‌.ଏ.): ଗାଁଠାରୁ ସହର ସବୁଠି କରୋନା ଭୟ। ଦୋକାନ ବଜାର ବନ୍ଦ। ରାସ୍ତାଘାଟ ଶୂନଶାନ୍‌ । ଘରୁ ପଦାକୁ ବାହାରିବାକୁ କଡ଼ା କଟକଣା। କେବଳ ସକାଳ ୭ରୁ ୧୧ଟା ମଧ୍ୟରେ ରାଶନ ସାମଗ୍ରୀ, ଔଷଧ, ପନିପରିବା ପାଇଁ କିଛି ଘଣ୍ଟାର କୋହଳ ରହିଛି। ଏଭଳି ଜଟିଳ ପରିସ୍ଥିତିରେ କନ୍ଧମାଳ ଜିଲା ରାଇକିଆ ଅଞ୍ଚଳର ଚାଷୀମାନେ ସକାଳୁ ପନିପରିବା ଧରି ବଜାରରେ ପହଞ୍ଚୁଛନ୍ତି । ଦୁଇ ତିନି ଘଣ୍ଟା ମଧ୍ୟରେ ବିକ୍ରି କରି ଘରକୁ ଫେରୁଛନ୍ତି । କେଲେମାହା ଗ୍ରାମର ଚାଷୀ ଉମାକାନ୍ତ ବେହେରା କୁହନ୍ତି, ସେ ଚଳିତ ବର୍ଷ ବିଭିନ୍ନ ପରିବା ଚାଷ ପାଇଁ ଗତ କିଛି ମାସ ମଧ୍ୟରେ ୨୦ରୁ ୨୫ ହଜାର ଟଙ୍କା ବିନିଯୋଗ କରିଛନ୍ତି । ବର୍ତ୍ତମାନ ତାଙ୍କର ପନିପରିବା ଉତ୍ପାଦନର ସମୟ । ଯାହା କିଛି ଉତ୍ପାଦନ ହେଉଛି ତାହାକୁ କମ୍‌ ଦରରେ ବିକ୍ରି କରୁଛନ୍ତି । କରୋନା ପ୍ରତି ଭୟ ଥିଲେ ମଧ୍ୟ ଯେହେତୁ ତାଙ୍କର ପନିପରିବା ଉତ୍ପାଦନ ହେଉଛି ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରିବା ପାଇଁ ବ୍ୟବସ୍ଥା ଥିବାରୁ ସେ ଦୂରରୁ ଆସି ବିକ୍ରି କରୁଛନ୍ତି। ଅନ୍ୟପକ୍ଷରେ ଲୋକଙ୍କୁ ମଧ୍ୟ ପନିପରିବା ଆବଶ୍ୟକ ରହୁଛି, ସ୍ଥାନୀୟ ଅଞ୍ଚଳରେ ଯେଉଁ ଉତ୍ପାଦନ ହେଉଛି ତାକୁ ସୁବିଧାରେ ଯେପରି ଲୋକେ ପାଇବେ ସେଥିପାଇଁ ସେ ଆସୁଥିବା କହିଛନ୍ତି ।

Share