ଗାଁରୁ ସହର ଗୁଞ୍ଜରିତ ହେଲା ବନ୍ଦେ ଉତ୍କଳ ଜନନୀ

ସୋନପୁର,୩୦।୫(ନି.ପ୍ର.)-କୋଭିଡ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇବା ପାଇଁ ଦେଶ ବିଦେଶରେ ଥିବା ସବୁ ଓଡିଆଙ୍କୁ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଥିଲେ । ଏହାକୁ ସମ୍ମାନ ଜଣାଇ ସୁବର୍ଣ୍ଣପୁର ଜିଲାବାସୀ ଶନିବାର ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ସନ୍ଧ୍ୟାରେ ଗାଁରୁ ସହର ସଙ୍ଗୀତରେ ଗୁଞ୍ଜରିତ ହୋଇଥିଲା । ରାମପୁର କଲ୍ୟାଣ ମଣ୍ଡପଠାରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନେତୃତ୍ୱରେ ଅଞ୍ଚଳବାସୀ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ । ଏଥିରେ ଜିଲା ବିଜେଡି ଉପସଭାପତି ରମେଶ ପୂଜାରୀ, ମନୋଜ ପୁରୋହିତ, ଉମେଶ ପୂଜାରୀ, ସରୋଜ ମେହେର, ସନ୍ତୋଷ ପୁରୋହିତ, ଶାନ୍ତି ଷଡଙ୍ଗୀ, ଗୁରୁଚରଣ ବେହେରା ପ୍ରମୁଖ ସାମିଲ ହୋଇଥିଲେ । ସୁବର୍ଣ୍ଣପୁର ସହର ବିଜୁ ପଟ୍ଟନାୟକ ଛକ ଠାରେ ବିଜୁ ଜନତା ଦଳ ପକ୍ଷରୁ ସାମୂହିକ ଭାବେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା ।