ଗାଁରେ ଉଚ୍ଚା ଘର ପାଇଁ ନେବାକୁ ପଡ଼ିବ ଅନୁମତି

ଭୁବନେଶ୍ୱର, ୧୨।୧୧(ବ୍ୟୁରୋ): ଏଣିକି ସହରପରି ଗାଁରେ ମନଇଚ୍ଛା ଘର କରିହେବ ନାହିଁ। ସେଥିପାଇଁ ପଞ୍ଚାୟତ ସମିତିର ଅନୁମତି ନେବାକୁ ପଡ଼ିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଗେଜେଟରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ମଙ୍ଗଳବାର ନଗର ଉନ୍ନୟନମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଜି+୨ ବା ତିନି ମହଲାର ଘର କରିବା ପାଇଁ ପଞ୍ଚାୟତ ସମିତିର ଅନୁମତି ନେବାକୁ ପଡ଼ିବ। ୫୦୦ ବର୍ଗ ମିଟର ଅଞ୍ଚଳର ଘର କରୁଥିଲେ ଅନୁମତି ନେବାକୁ ପଡିବ। ଏଥିପାଇଁ ଉପଯୁକ୍ତ ପ୍ଲାନିଂ ସହ ପଞ୍ଚାୟତ ସମିତି ପାଖରେ ଆବେଦନ କରିବାକୁ ପଡ଼ିବ। ଏହାର ଆପ୍ରୁଭାଲ ପାଇଁ ପଞ୍ଚାୟତ ପକ୍ଷରୁ ଜିଲା ପ୍ଲାନିଂ ୟୁନିଟକୁ ପଠାଯିବ। ଜିଲା ପ୍ଲାନିଂ ୟୁନିଟ ଅନୁମୋଦନ କଲେ ଘର ନିର୍ମାଣ କରାଯାଇପରିବ।
ମନ୍ତ୍ରୀ କହିଛନ୍ତି, ଗାଁଗୁଡିକରେ ଯେଉଁ ଘର କରାଯାଉଛି ସେଥିରେ ଡ୍ରେନେଜ ଓ ସ୍ବରେଜ ପ୍ଲାନ କରାଯାଉ ନାହିଁ। ସେଥିପାଇଁ ଏହି ନିୟମ ଲାଗୁ କରାଯାଇଛି। ଯଦି କେହି ସରକାରୀ ନିୟମ ମୁତାବକ ଘର ନ କରନ୍ତି ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

Share