ଗାଁରେ ପ୍ରବେଶ ପାଇଁ ବାରଣ କରାଯିବାରୁ ନୌକାରେ କ୍ୱାରାଣ୍ଟାଇନ୍‌ରେ ରହିଲେ ବୃଦ୍ଧ

ମାଲଦା,୩।୪: ସାରା ଦେଶରେ ମହାମାରୀ କରୋନା ଭାଇରସ୍‌ର ପ୍ରକୋପ ଜାରି ରହିଛି। ଭାରତରେ ଦିନକୁ ଦିନ କରୋନା ଜନିତ ମୃତ୍ୟୁ ସଂଖ୍ୟା ଓ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ସମୟରେ କେତେକ ସ୍ଥାନରେ ବାହାର ରାଜ୍ୟରୁ ବା ଜିଲାରୁ ଆସୁଥିବା ଲୋକଙ୍କୁ ଗାଁରେ ପ୍ରବେଶ କରାଇବାକୁ ଦିଆଯାଉ ନ ଥିବା ଜଣାପଡ଼ିଛି। ଫଳରେ ସେମାନେ ଗାଁ ବହାରେ ଏକ ଅସ୍ଥାୟୀ ଟେଣ୍ଟ କରି ରହୁଥିବା ଜଣାପଡ଼ିଛି। କିଛି ଏଭଳି ଘଟଣା ଦେଖିବାକୁ ମିଳିଛି ପଶ୍ଚିମ ବଙ୍ଗର ମାଲଦାରେ। ମାଲଦାର ଜଣେ ୬୦ବର୍ଷୀୟ ବୃଦ୍ଧ ଦୀର୍ଘ ୪ଦିନ ହେଲା ଏକ ନୌକାରେ ଜୀବନ ବିତାଉଥିବା ଦୃଶ୍ୟ ସାମ୍ନାକୁ  ଆସିଛି।  ଆଉ ତାଙ୍କୁ ଏଭଳି କରିବାକୁ ଗାଁଲୋକେ ବାଧ୍ୟ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ନାଡିଆ ଜିଲାର ନବାଦଓ୍ବିପରେ ରହୁଥିବା ନିରଞ୍ଜନ ହଲଦରଙ୍କୁ କିଛି ଦିନ ପୂର୍ବରୁ ଜ୍ୱର ହେବା ସହ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା।
ସ୍ଥାନୀୟ ଡାକ୍ତର ତାଙ୍କୁ ଯାଞ୍ଚ କରିବା ପରେ ୧୪ ଦିନ ଯାଏଁ କ୍ୱାରାଣ୍ଟାଇନ୍‌ରେ ରହିବାକୁ ନର୍ଦ୍ଦେଶ ଦେଇଥିଲେ। ଏହି ଖବର ଜଣାପଡ଼ିବା ପରେ ସ୍ଥାନୀୟ ଲୋକ ଆଉ ତାଙ୍କୁ ଗାଁରେ ପୂରାଇ ଦେଇ ନ ଥିଲେ। ଫଳରେ ନିରଞ୍ଜନ ଦୋବାପାରା ଅଞ୍ଚଳରେ ଥିବା ଏକ ନୌକାରେ ୧୪ ଦିନ ଯାଏଁ କ୍ୱାରାଣ୍ଟାଇନ୍‌ରେ ରହିବେ ବୋଲି ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ନିରଞ୍ଜନଙ୍କୁ ସେଠାକାର ଜଣେ ବ୍ୟକ୍ତି ସହାୟତାର ହାତ ବଢ଼ାଇଥିଲେ। ନୌକାରେ ତାଙ୍କ ପାଇଁ ଖାଦ୍ୟପାନୀୟ ସହ ଅନ୍ୟ ଜରୁରୀ ସାମଗ୍ରୀ ମଧ୍ୟ ଯୋଗାଇଦେଇଥିବା ସୂଚନା ମିଳିଛି। ଏନେଇ ଜିଲାପାଳଙ୍କୁ ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି।
Share