ଗାଁର ନାମ ପିଟାପିଟି

କେନ୍ଦୁଝର, ୧୫ା୭(ସ୍ବ.ପ୍ର.)-(ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝରରୁ ନରଣପୁର-ବ୍ରାହ୍ମଣୀପାଳ ରାସ୍ତାରେ ଗଲେ ହରିଚନ୍ଦନପୁର ପହଞ୍ଚିବା ପୂର୍ବରୁ ଏକ ଗ୍ରାମ ପଡେ, ଯାହାର ନାମ ପିଟାପିଟି। ରାସ୍ତାରେ ଯାତାୟାତ କରୁଥିବା ଲୋକେ ଏହାର ନାମକରଣକୁ ନେଇ ଉତ୍ସାହିତ ହୋଇ ଉଠନ୍ତି। କେହି କେହି ଏହି ଗ୍ରାମରେ ଓହ୍ଲାଇ ନାମ ଫଳକ ପାଖରେ ସେଲ୍‌ଫି ନେଇଥାନ୍ତି। ଅନେକ ଏହି ନାମକୁ ନେଇ ଥଟ୍ଟାମଜା କରିଥାନ୍ତି ଓ ଅନେକ ଅପବାଦ କରିଥାନ୍ତି। ସମସ୍ତେ ଭାବନ୍ତି ଏହା ଏକ ଗଣ୍ଡଗୋଳିଆ ଗ୍ରାମ ହୋଇଥିବ ା ଏଣୁ ଏହି ନାମକୁ ନେଇ ଅନେକ ସମୟରେ ସ୍ଥାନୀୟ ଲୋକମାନେ ମଧ୍ୟ ଚିନ୍ତାବ୍ୟକ୍ତ କରନ୍ତି। କିନ୍ତୁ ଅନେକେ ଏହି ଗ୍ରାମର ନାମକୁ ନେଇ ଗର୍ବିତ ମନେ କରନ୍ତି। ତେବେ ପାଖକୁ ନ ଗଲେ କେହି ଜାଣି ପାରିବେନି। ଗାଁ ଲୋକଙ୍କ ମନରେ ରହିଛି ଗଭୀର ପ୍ରେମ। କାହିଁ କେଉଁ କାଳରୁ ଏକାଠି ରହିଆସୁଛନ୍ତି। ପିଢ଼ି ପରେ ପିଢ଼ି ବିତିଗଲାଣି କିନ୍ତୁ ସମସ୍ତେ ଏକ ମନ ହୋଇ ରହିଛନ୍ତି। ଗାଁ ଲୋକଙ୍କ ଏକତା ହିଁ ଏହି ଗାଁକୁ ମହନୀୟତାର ପରିଚୟ ଦେଇଛି।
ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ କହିବା ଅନୁଯାୟୀ ଗ୍ରାମଟି ୨୫୦ ବର୍ଷ ପୂର୍ବେ ସ୍ଥାପିତ ହୋଇଛି। ସେ ସମୟରେ ଏହି ସ୍ଥାନଟି ଘଞ୍ଚ ଅରଣ୍ୟରେ ପରିପୂର୍ଣ୍ଣ ଥିଲା ଓ ବିଭିନ୍ନ ପଶୁପକ୍ଷୀଙ୍କ ବାସସ୍ଥଳୀ ରହିଥିଲା। ଏହି ଅରଣ୍ୟ ମଧ୍ୟରେ ପ୍ରଥମେ ପିଟା କମାର ସମ୍ପ୍ରଦାୟର ପ୍ରାୟ ୬ରୁ ୮ ପରିବାର ଲୋକମାନେ ଆସି ବସତି ସ୍ଥାପନ କରିଥିଲେ। ସେମାନେ ଲୁହା କାମ କରିବା ସହିତ ଜଙ୍ଗଲରୁ ଫଳମୂଳ ସଂଗ୍ରହ କରି ଜୀବିକା ନିର୍ବାହ କରୁଥିଲେ। କିଛି ବର୍ଷ ରହିବାପରେ କୌଣସି କାରଣରୁ ନିଜ ନିଜ ମଧ୍ୟରେ ବାଦବିବାଦ ଲାଗିରହିବାରୁ ମାରପିଟ ହୋଇ ଗାଁ ଛାଡି ଚାଲିଯାଇଥିଲେ। ପିଟାପିଟି ନାମ କିପରି ହୋଇଛି ଠିକ କେହି କହିପାରୁ ନ ଥିଲେ ହେଁ ବୋଧହୁଏ ପିଟାକମାର ସମ୍ପ୍ରଦାୟର ନାମକୁ ନେଇ ନାମିତ ହୋଇଛି ପିଟାପିଟି।
ସ୍ଥାନଟିର ପରିବେଶ କୃଷିକାର୍ଯ୍ୟ ପାଇଁ ଅନୂକୂଳ ହୋଇଥିବାରୁ ପରବର୍ତ୍ତୀ ସମୟରେ ଢେଙ୍କାନାଳ ଜିଲାର ଚଷା, ସେଠୀ, ବାରିକ ସମ୍ପ୍ରଦାୟର ଲୋକମାନେ ଆସି ବସତି ସ୍ଥାପନ କରି ଚାଷ କାମ ଆରମ୍ଭ କରିଥିଲେ। ଏହି ସମ୍ପ୍ରଦାୟର ଲୋକମାନେ ଗ୍ରାମଟିକୁ ପିଟାପିଟି ନାମ କରଣ କରିଥିଲେ। ବର୍ତ୍ତମାନ ମୁଣ୍ଡା, ନାଏକ, କିସାନ, ମହାନ୍ତ, ପାତ୍ର, ନାହାକ, ବ୍ରାହ୍ମଣ, କମାର, ଚଷା, ସେଠୀ, ବାରିକ ଆଦି ସମ୍ପଦାୟର ଲୋକମାନେ ବସବାସ କରୁଛନ୍ତି ବୋଲି ଏ ନେଇ ତର୍ଜମା କରିଥିବା ସ୍ଥାନୀୟ ପରେଶ ଚନ୍ଦ୍ର ସେଠୀ କୁହନ୍ତି।
ପିଟାପିଟି ଗ୍ରାମଟି କେନ୍ଦୁଝର ଜିଲା ସଦର ମହକୁମାଠାରୁ ଦୂରତା ୪୫ କି.ମି.। ହରିଚନ୍ଦନପୁର ବ୍ଲକ ମୁଖ୍ୟାଳୟଠାରୁ ୫ କି.ମି. ଦୂରରେ ଅବସ୍ଥିତ। ଗ୍ରାମରେ ୩୯୮ ପରିବାର ହୋଇଥିବାବେଳେ ଲୋକସଂଖ୍ୟା ପାଖାପାଖି ୧୫୩୭ ହେବ। ୨୦୦୦ ମସିହାରେ ଏହି ଗ୍ରାମ ସମେତ ୫ଟି ରାଜସ୍ବ ଗ୍ରାମକୁ ନେଇ ପିଟାପିଟି ପଞ୍ଚାୟତ ଗଠିତ ହୋଇଛି। ଏହି ପଞ୍ଚାୟତରେ ବିଭିନ୍ନ ଜାତିର ଲୋକ ବସବାସ କରୁଥିବାରୁ ବାରମାସରେ ତେରପର୍ବ ଏକାଠି ପାଳନ କରାଯାଇଥାଏ। ସେଥିମଧ୍ୟରୁ ମୁଖ୍ୟ ପର୍ବ ଭାବେ ରଜ, ମାଘେ ପର୍ବ, ଅଶାଢ଼ି, ଗହ୍ମାପୂର୍ଣ୍ଣିମା, ମକର, ପ୍ରଥମାଷ୍ଟମୀ, ଦୀପାବଳି ପାଳନ କରାଯାଏ ା ଗ୍ରାମବାସୀ ଭାଇଚାରା ମନୋଭାବ ରକ୍ଷାକରି ପର୍ବପର୍ବାଣି ପାଳନ କରିଥାନ୍ତି। ଗ୍ରାମଟି ଆଦିବାସୀ ବହୁଳ ହୋଇଥିବାରୁ ଆଦିବାସୀ ପର୍ବଗୁଡ଼ିକ ପାରମ୍ପରିକ ରୀତିନୀତିରେ ମହାଆଡମ୍ବରରେ ପାଳନ କରନ୍ତି। ଏହି ଗ୍ରାମର ଚତୁଃପାର୍ଶ୍ୱ ପାହାଡ ଓ ଜଙ୍ଗଲରେ ପରିପୂର୍ଣ୍ଣ , ଦକ୍ଷିଣ ଦିଗରେ କୁରେଇଁ ଯୋଡି ନଦୀ,କୁଆଝରଣ ପାହାଡ, ଉତ୍ତର ଦିଗରେ ଜାମୁନାଳିଆ ନାଳ ଓ ପାହାଡ ଘେରା ଜଙ୍ଗଲ ଅବସ୍ଥାନ କରୁଛି ା ନିକଟରେ ଅଛି କୁଆଝରଣ ଗ୍ରାମ ା ଲୋକମାନେ ସାଧାରଣତଃ ବଣଜଙ୍ଗଲ ତଥା ଚାଷ ଉପରେ ଜୀବିକା ନିର୍ବାହ କରିଥାନ୍ତି।