ଗାଁ ଜଳାର୍ଣ୍ଣବ, ଧୋଇଗଲା ଅସ୍ଥାୟୀ ପୋଲ

ପାଟପୁର,୨୫ା୧୦(ଡି.ଏନ.ଏ.)- ସାନଖେମୁଣ୍ଡି ଅଞ୍ଚଳରେ ବୁଧବାର ସକାଳୁ ଜାରି ରହିଛି ଲଗାଣ ବର୍ଷା। ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବୁଧବାର ପୋଚକା ନାଳ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଗୁରୁବାର ସକାଳ ୭ଟାରେ ବୁଦ୍ଧେଶ୍ୱର ଗ୍ରାମ ନିକଟ ରଘୁନାଥ ସାଗରରେ ବନ୍ୟାପାଣି ଆସି ଅସ୍ଥାୟୀ ପୋଚକା ପୋଲ ଧୋଇ ହୋଇଯାଇଛି। ଫଳରେ ଦିଗପହଣ୍ଡି-ଆସିକା ମୁଖ୍ୟ ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ତଳିଆ ଅଞ୍ଚଳରେ ଚାଷ ଜମି ଜଳମଗ୍ନ ହୋଇରହିଛି। କେତେକ ଗ୍ରାମରେ ବର୍ଷାଜଳ ପଶି ଲୋକେ ଜଳବନ୍ଦୀ ହୋଇଛନ୍ତି। ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି। ବନ୍ୟା ପାଣି ଘରେ ମଧ୍ୟ ପଶିଛି। ପାଟପୁର ଅଞ୍ଚଳର ପ୍ରାୟ ୨୦୦ ହେକ୍ଟରରୁ ଉର୍ଦ୍ଧ୍ୱ ଚାଷ ଜମି ବର୍ଷା ଜଳରେ ବୁଡି ରହିଛି। ତହସିଲଦାର ଅମିତ କୁମାର ନାୟକ, ବିଡିଓ ଗାୟତ୍ରୀଦତ୍ତ ନାୟକ, ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ବିଭିନ୍ନ ଗ୍ରାମଞ୍ଚଳରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତିି। ପ୍ରକାଶ ଯେ ପୂର୍ବରୁ ପୋଚକା ନାଳର ପୋଲ ଭୁଶୁଡି ଯାଇଥିବା ହେତୁ ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସେଠାରେ ଏକ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା। ନିର୍ମାଣର ଏକ ମାସ ମଧ୍ୟରେ ଅସ୍ଥାୟୀ ପୋଲ ଧୋଇଯାଇଥିବା ହେତୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି। ତୁରନ୍ତ ସ୍ଥାୟୀ ପୋଲ ନିର୍ମାଣ ପାଇଁ ସେମାନେ ଦାବି କରିଛନ୍ତି।

Share