ଗାଁ ଦାଣ୍ଡରେ ଯୁବକଙ୍କୁ ହତ୍ୟା ଘଟଣା : ହତ୍ୟାକାରୀ ଅଟକ, ରକ୍ତଭିଜା ଖଣ୍ଡା ଜବତ

ପୁରୁଷୋତ୍ତମପୁର,୨ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭୂତସରସିଙ୍ଗି ପଞ୍ଚାୟତର କଇଠଡ଼ା ଗ୍ରାମରେ ଶନିବାର ରାତିରେ ଡାକ୍ତର ପ୍ରଧାନଙ୍କୁ ସର୍ବସମ୍ମୁଖରେ ଖଣ୍ଡାରେ ହାଣି ହତ୍ୟା କରାଯାଇଥିଲା। ତେବେ ଅଭିଯୁକ୍ତ ଜଣକ ସେହି ଗ୍ରାମର ଗାନ୍ଧି ପ୍ରଧାନଙ୍କୁ ପୋଲିସ ଉଠାଇ ଆଣି ଥାନାରେ ଅଟକ ରଖିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ରକ୍ତଭିଜା ଖଣ୍ଡା ଜବତ କରିଛିି । ଘଟଣା ସମ୍ପର୍କରେ ମୃତକଙ୍କ ଭାଇ ଗୋବିନ୍ଦ ପ୍ରଧାନ ପୋଲିସରେ ଅଭିଯୋଗ କରିଛନ୍ତି ଯେ, ଶନିବାର ସନ୍ଧ୍ୟାରେ ଡାକ୍ତର ଗ୍ରାମ ତଳସାହିର ଚୌରା ମଣ୍ଡପରେ ବସିଥିବାବେଳେ ସେହି ଗ୍ରାମର ଗାନ୍ଧି ପ୍ରଧାନ ନାମକ ଜଣେ ଯୁବକ ପୂର୍ବ ଶତୃତାକୁ ନେଇ ଏକ ଖଣ୍ଡାରେ ଅତର୍କିତ ଭାବେ ଡାକ୍ତରଙ୍କ ଶରୀରରେ ଚୋଟ ପରେ ଚୋଟ ପକାଇ ଚାଲିଥିଲେ। ଏହା ସହ ସମସ୍ତଙ୍କୁ ଭୟଭୀତ କରି କିଛି ସମୟ ପର୍ଯ୍ୟନ୍ତ ଘଟଣାସ୍ଥଳରେ ଆତଙ୍କରାଜ ଚଳାଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଡାକ୍ତର ପଡ଼ି ଚିତ୍କାର କରୁଥିବାବେଳେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ମେଡିକାଲକୁ ନିଆଯାଇ ଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଅଭିଯୋଗକୁ ନେଇ ଥାନା ଆଇଆଇସି ଜଗନ୍ନାଥ ମଲିକ କେସ ନଂ ୧୨୭/୧୯ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଥାନାକୁ ଆଣିବା ସହ ଖଣ୍ଡାଟିକୁ ଜବତ କରିଛନ୍ତି । ଏହାର ତଦନ୍ତ ଲାଗି ଏସ୍‌ଆଇ ସୁନୀଲ କୁମାର ପ୍ରଧାନଙ୍କୁ ଦାୟିିତ୍ୱ ଦେଇଛନ୍ତି । ରବିବାର ଏସ୍‌ଆଇ ପ୍ରଧାନ ବ୍ରହ୍ମପୁର ବଡ଼ମେଡିକାଲକୁ ଯାଇ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛନ୍ତି । ଘଟଣାର ଅଧିକ ତଦନ୍ତ ଚାଲିଥିବା ଆଇଆଇସି ମଲିକ କହିଛନ୍ତି ।

Share