ସିମୁଳିଆ, ୩।୩(ସନ୍ତୋଷ କୁମାର ନାୟକ)-କଲମ ମୁନରେ ସମାଜରେ ସଂସ୍କାର ଆଣିହେବ। ଏନେଇ ଅହରହ ପ୍ରୟାସ ଜାରି ରଖିଛନ୍ତି ନାଟ୍ୟକାର ନବଘନ ରାଉଳ। ଜଣେ ବାସ୍ତବବାଦୀ ଲେଖକ ରୂପେ ସେ ନିଜର ପରିଚୟ ସୃଷ୍ଟି କରିଛନ୍ତି ା ଓଡ଼ିଶା ଯାତ୍ରା ଜଗତର ଜଣେ ଅଭିନେତା, ପରିଚାଳକ, ଲେଖକ ଓ ନାଟ୍ୟ ନିର୍ଦ୍ଦେଶକ ରୂପେ ସେ ପରିଚିତ। ବାଲେଶ୍ୱର ଜିଲା ରାଇକୁଳା ଅଞ୍ଚଳର ସ୍ବର୍ଗତ ଗୌରୀ ଓ ଜଗବନ୍ଧୁଙ୍କ ଦୁଇ ପୁଅ ଓ ତିନି ଝିଅଙ୍କ ମଧ୍ୟରେ ନବଘନ ହେଉଛନ୍ତି ସବାସାନ। ନବଘନଙ୍କ ମା’ ଗୌରୀ ଗପ ଓ କବିତା ଲେଖନ୍ତି। ଏହାର ପ୍ରଭାବ ତାଙ୍କ ଉପରେ ପଡ଼ିଥିବା ସେ କୁହନ୍ତି। ତେବେ ୧୯୮୯ରେ ସେ ମାଟ୍ରିକ ପଢୁଥିବାବେଳେ ପୌରାଣିକ ସହିତ ସାମାଜିକ କଥାବସ୍ତୁକୁ ମିଶାଇ ଏକ ନାଟକ ଲେଖିଥିଲେ। ପରେ ନିଜ ଗାଁରେ ଚୈତିପର୍ବରେ ଏହା ମଞ୍ଚସ୍ଥ ହୋଇଥିଲା। ଏହି ନାଟକର ସେ ନିର୍ଦ୍ଦେଶନା ଦେଇଥିଲେ। ଏହାକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଥିଲା। ଏହି ନାଟକରୁ ତାଙ୍କୁ ମିଳିଥିଲା ପ୍ରେରଣା। ପରେ ୧୯୯୮ରେ ତାଙ୍କର ରଚିତ ଏକ ନାଟକ ‘ଅଜଣା ବାଟ’ ସାବିତ୍ରୀ ଗଣନାଟ୍ୟରେ ମଞ୍ଚସ୍ଥ ହୋଇଥିଲା ା ୨୦୦୩ରେ ଲକ୍ଷ୍ମୀ ନାରାୟଣ ଗଣନାଟ୍ୟରେ ତାଙ୍କର ‘ପାପ କହିବି ଶୁଣିବ ଆସ’ ନାଟକ ମଞ୍ଚସ୍ଥ ହେବା ପରେ ତାଙ୍କୁ ଯାତ୍ରା ପରିଚାଳକ ରୂପେ ନିଯୁକ୍ତି ମିଳିଥିଲା ା ବିଶ୍ୱ ବିଜୟୀ ଗଣନାଟ୍ୟରେ ‘ଗୋରି ଧୀରେ ଧୀରେ ଚାଲ’ ମଧ୍ୟ ତାଙ୍କର ଏକ ସଫଳ ନାଟକ।
ଏହାମଧ୍ୟରେ ସେ ୧୭ଖଣ୍ଡ ନାଟକ ରଚନା କରିଛନ୍ତି। ଗତ ୨୦୧୭ରେ ମୟୂରଭଞ୍ଜର ମଲିପୋଷିର ଏକ ଆଦିବାସୀ ପରିବାରକୁ ନେଇ ତାଙ୍କର ରଚିତ ନାଟକ ‘ଗୁପ୍ତ ସମ୍ପର୍କ’ ବିଶ୍ୱ ଦରବାରରେ ମଞ୍ଚସ୍ଥ ହେବା ପରେ ତାଙ୍କୁ ଶ୍ରେଷ୍ଠ ନାଟକ ଓ ଶ୍ରେଷ୍ଠ ଲେଖିକ ସମ୍ମାନ ମିଳିଥିଲା। ୨୦୧୮ରେ ବଡ଼ ପରଦାର ଚଳଚ୍ଚିତ୍ର ‘ଏ ଦିଲ ତୋତେ ଦେଲି’ରେ କ୍ୟାରେକ୍ଟର ରୋଲ ମଧ୍ୟ କରିଥିଲେ। ତେବେ ପାରିଶ୍ରମିକ ପାଇଁ କେହି ଲେଖନ୍ତି ନାହିଁ। ଲେଖା ଏକ ନିଶା, ଯାହା ମୁଡ ଆସିଲେ ହୋଇଯାଏ। ତେବେ ରଚିତ ନାଟକ ମଞ୍ଚସ୍ଥ ହେଲେ ସ୍ବର୍ଗସୁଖ ମିଳିଥାଏ ବୋଲି କହନ୍ତି ନବଘନ। ‘ହସନା ମାଧବ’ ‘ଇତିଶ୍ରୀ’ ପରି ସରକାର ଓ ସମାଜକୁ ସଚେତନତା କରିବା ପରି ନାଟକ ସେ ଲେଖିଛନ୍ତି। ତେବେ ଏହା ସରକାର ବିରୋଧୀ ହୋଇଥିବା ଦର୍ଶାଇ ବହୁ ପରିଚାଳକ ଏହାକୁ ଗ୍ରହଣ କରୁନାହାନ୍ତି। ପରିଚାଳକମାନେ ସମାଜର ପରିବର୍ତ୍ତନ ପରିବର୍ତ୍ତେ ନିଜର ବ୍ୟବସାୟ କଥା ଭାବୁଥିବାରୁ ଭଲ ନାଟକ ଆସିପାରୁନାହିଁ ା ଅନେକ ସମୟରେ କଳାକାରମାନଙ୍କୁ ନେଇ ନାଟକ ଲେଖାଯାଉଛି। ‘ଚା ବାଲି ଚାମେଲି’ ଓ ‘ବାପାଙ୍କ ବିଚାର ପାପ ହାଟରେ’ ବର୍ତ୍ତମାନ ତାଙ୍କର ରଚନା ଚାଲିଥିବା ସେ କହନ୍ତି।