ଗାଁ ଲୋକଙ୍କ ବିରୋଧ ପରେ ବନ୍ଦ ହେଲା ୨ଟି କାରଖାନା

କେନ୍ଦୁଝର,୨୮ା୩(ଡି.ଏନ୍‌.ଏ.): ସରକାର କରୋନା ଭୂତାଣୁ ପ୍ରତିରୋଧ ପାଇଁ ସାରା ଭାରତ ଲକ୍‌ଡାଉନ୍‌ କରିଥିବାବେଳେ ଶିଳ୍ପ ଓ ଖଣି ଚାଲିବ ବୋଲି ନିର୍ଦ୍ଦେଶନାମା ପ୍ରକାଶ କରିଥିଲେ। ଏହି ନିର୍ଦ୍ଦେଶନାମା ଅନୁସାରେ ଖଣି ଓ ଶିଳ୍ପଗୁଡିକ ଚାଲୁ ରହିଥିବା ଦେଖା ଯାଇଥିଲା। ମାତ୍ର କେନ୍ଦୁଝର ଜିଲାର ବାଂଶପାଳ ବ୍ଲକ ଫୁଲଝରସ୍ଥିତ ଆରଡେଣ୍ଟ କାରଖାନାକୁ ଯାଉଥିବା କର୍ମଚାରୀଙ୍କୁ ଗ୍ରାମବାସୀ ଅଟକାଇ କାରଖାନା ନ ଆସିବା ପାଇଁ ୨୬ ତାରିଖ ରାତିରେ ତାଗିଦ୍‌ କରିଥିଲେ। କାରଖାନାକୁ ବିଭିନ୍ନ ସ୍ଥାନରୁ ଆସୁଥିବା କର୍ମଚାରୀ ଯାତାୟତ କଲେ ଗ୍ରାମରେ କରୋନା ସଂକ୍ରମଣ ଆଶଙ୍କା ଥିବାରୁ କାରଖାନା ବନ୍ଦ ପାଇଁ କର୍ତ୍ତୃପକ୍ଷଙ୍କୁ କହିଥିଲେ। ଏହାପରେ ଶୁକ୍ରବାରଠାରୁ ଏହି କାରଖାନା ବନ୍ଦ ହୋଇଛି। ସେହିପରି ସଦର ବ୍ଲକ ହଳଦିଆଗୁଣାସ୍ଥିତ ଏମ୍‌ଏସ୍‌ପି କାରଖାନାକୁ ମଧ୍ୟ ବନ୍ଦ କରାଯାଇଛି। ବିଭିନ୍ନ ସ୍ଥାନରେ ଗ୍ରାମବାସୀ ରାସ୍ତା ଅବରୋଧ କରି ବାହାର ଲୋକଙ୍କୁ ଛାଡୁ ନ ଥିବାରୁ କାରଖାନା ଓ ଖଣିକୁ କର୍ମଚାରୀମାନେ ଯାତାୟତ କରି ପାରୁ ନ ଥିବା ଜଣାପଡିଛି।

Share