ଗାଈକୁ ନେଇ ମହିଳା ଆଇଏଏସ୍‌, ଆଇପିଏସ୍‌ ଅଫିସରଙ୍କ ମଧ୍ୟରେ ଝଗଡା

ଗାନ୍ଧୀନଗର, ୨୨।୧: ଗୁଜରାଟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଦୁଇ ଉଚ୍ଚପଦସ୍ଥ ମହିଳା ଅଧିକାରୀଙ୍କ ମଧ୍ୟରେ ଝଗଡା ଲାଗିଛି। ଝଗଡା ପ୍ରଶମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଫିସକୁ ମାମଲାରେ ହସ୍ତକ୍ଷେପ କରିବାକୁ ପଡିଛି। ଏହି ଝଗଡା କୌଣସି ପ୍ରଶାସନିକ ନିଷ୍ପତ୍ତିକୁ ନେଇ ନୁହେଁ, ଏକ ଗାଈ ପାଇଁ ଜିଲା ଅଧିକାରୀ ଥିବା ଆଇଏଏସ୍‌ ନେହା କୁମାରୀ ଏବଂ ପୋଲିସ ଅଧୀକ୍ଷକ ଉଷା ରାଡାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଛି। ନେହା ନିଜ ସରକାରୀ ନିବାସ ପରିସରରେ ଥିବା ଭଲିବଲ ଗ୍ରାଉଣ୍ଡରେ ଖେଳୁଥିଲେ। ଏହି ସମୟରେ ତାଙ୍କ ବଲ୍‌ଟି ଯାଇ ଉଷା ରାଡାଙ୍କ ଗାଈ ଶରୀରରେ ବାଜିଥିଲା। ଏହାକୁ ନେଇ ଦୁଇ ଅଫିସରଙ୍କ ମଧ୍ୟରେ ଝଗଡା ଲାଗିଥିଲା। ଉଷା ଉତ୍‌କ୍ଷିପ୍ତ ହୋଇ ପୋଲିସକର୍ମୀଙ୍କୁ ଭଲିବଲ୍‌ ନେଟ୍‌ କାଟିବା ସହ ବିଦ୍ୟୁତ କାଟିଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଗତବର୍ଷ ଏହି ଦୁଇ ଅଧିକାରୀଙ୍କ ମଧ୍ୟରେ ସମ୍ପର୍କ ଭଲ ଥିଲା। ଏପରିକି ଉଷା ପାଳିଥିବା ଗିର୍‌ ପ୍ରଜାତିର ଗାଈଙ୍କ ଦୁଗ୍ଧ ନେହାଙ୍କ ପାଖକୁ ପଠାଉଥିଲେ। କିନ୍ତୁ ଉକ୍ତ ଘଟଣା ପରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ଉଷା ଅଭିଯୋଗ କରିଛନ୍ତି ଯେ, ଗତ ଡିସେମ୍ବର ୨୬ରେ ୨୫ଜଣ ଲୋକ ମୋ ଘର ଭିତରେ ପଶି ଗାଈଙ୍କୁ ପଥର ଫୋପାଡି ଥିଲେ। ଏହାକୁ ରୋକିବାକୁ ପ୍ରୟାସ କରିବାକୁ ସେମାନେ ମୋତେ ଧମକ ଦେଇଥିଲେ ବୋଲି ସେ କହିଛନ୍ତି।

Share