ଓଡ଼ଗାଁ,୧୦।୩: ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଓ ବାହାଡ଼ାଝୋଲା ଫାଣ୍ଡି ଅଧୀନ ବଧୁଲିପୁର ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ କଥାକୁ କେନ୍ଦ୍ର କରି ଦୁଇ ମହିଳାଙ୍କ ମଧ୍ୟରେ ହାତାହାତି ହେବାରୁ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ତିଳୋତ୍ତମା ବେହେରା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପୋଲିସ ଏକ ମାମଲା(ନଂ.୨୬/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ବଧୁଲିପୁର ଗ୍ରାମର ତିଳୋତ୍ତମା ଓ ଝୁନୁ ବେହେରାଙ୍କ ମଧ୍ୟରେ ଟଙ୍କା ଦେଣନେଣ ଓ ବିଲରେ ଗାଈ ମୁଗ ଖାଇବାକୁ କେନ୍ଦ୍ର କରି ବୁଧବାର ସକାଳେ ବଚସା ହୋଇଥିଲା। ଉଭୟେ ପରସ୍ପରକୁ ଗାଲିଗୁଲଜ କରିବା ପରେ ଠେଲାପେଲା ହୋଇଥିଲେ। ଏଥିରେ ତିଳୋତ୍ତମା ତଳେ ପଡିଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ଗାଁରେ ବିବାଦର ସମାଧାନ ପାଇଁ ଉଦ୍ୟମ କରାଯାଇଥିଲା । ହେଲେ ସମାଧାନର କୌଣସି ସୂତ୍ର ନ ବାହାରିବାରୁ ତିଳୋତ୍ତମାଙ୍କ ସ୍ବାମୀ ଅର୍ଜୁନ ଓଡ଼ଗାଁ ଥାନାରେ ଅଭିଯୋଗ କରିଥିଲେ। ଝୁନୁ ବେହେରା, ତାଙ୍କ ଝିଅ ଓ ଅନ୍ୟ ସମ୍ପର୍କୀୟମାନେ ବିଭିନ୍ନ ମାରଣାସ୍ତ୍ରରେ ତାଙ୍କ ସ୍ତ୍ରୀଙ୍କୁ ଆକ୍ରମଣ କରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ତଦନ୍ତକାରୀ ଅଧିକାରୀ ସଞ୍ଜୟ କୁମାର ପରିଡା ସୂଚନା ଦେଇଛନ୍ତି।