Categories: ଜାତୀୟ

ଗାଈ ମାରିଲେ ବାଘକୁ ବି ଦିଆଯାଉ ଦଣ୍ଡ: ଗୋଆ ବିଧାୟକ

ପଣଜୀ,୬।୨: ଗୋଆ ବିଧାନସଭାରେ ଏନ୍‌ସିପି ନେତାଙ୍କ ବିବାଦୀୟ ବୟାନ ଏବେ ଚର୍ଚ୍ଚାକୁ ଆସିଛି। ବୁଧବାର ବିଧାନସଭା ଅଧିବେଶନରେ ବାଘ ଶିକାରକୁ ନେଇ ଆଲୋଚନା ହେଉଥିବା ସମୟରେ ଏନ୍‌ସିପି ନେତା ଚର୍ଚ୍ଚିଲ ଆଲେମାଓ କହିଥିଲେ ବାଘ ଗାଈ ଶିକାର କଲେ ତାକୁ ମନୁଷ୍ୟଙ୍କ ଭଳି ଦଣ୍ଡ ଦିଆଯାଉ।

ସୂଚନା ମୁତାବକ ଗତ ମାସରେ ମହାଦାୟୀ ବନ୍ୟପ୍ରାଣୀ ଅଭୟାରଣ୍ୟରେ ଗୋଟିଏ ବାଘୁଣୀ ସହ ତା’ର ୩ ଶାବକକୁ ସ୍ଥାନୀୟ ଲୋକେ ମାରିଦେଇଥିଲେ। ଏହାକୁ ନେଇ ବୁଧବାର ବିରୋଧୀ ଦଳ ନେତା ଦିଗମ୍ବର କାମାତ ଗୃହରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ଆଲେମାଓ କହିଥିଲେ,‘ମଣିଷ ଗାଈ ମାରିଲେ ଦଣ୍ଡ ମିଳୁଛି, ହେଲେ ବାଘ ଯେତେବେଳେ ଗାଈ ଶିକାର କରୁଛି ସେତେବେଳେ ତା’ ପାଇଁ କି ଦଣ୍ଡ ବ୍ୟବସ୍ଥା ରହିଛି। ବନ୍ୟପ୍ରାଣୀ ଦୃଷ୍ଟି କୋଣରୁ ବାଘର ମହତ୍ୱ ରହିଛି, ସେହିପରି ମାନବିକ ଦୃଷ୍ଟିକୋଣରୁ ଗାଈର ମଧ୍ୟ ମହତ୍ୱ ରହିଛି।’

ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ କହିଥିଲେ, ବାଘ ସ୍ଥାନୀୟ ଲୋକଙ୍କ ପଶୁ ସମ୍ପଦ ଉପରେ ଆକ୍ରମଣ କରିଥିବାରୁ ସେମାନେ ବାଘୁଣୀ ସହ ତା’ର ୩ ଶାବକଙ୍କୁ ମାରିଦେଇଥିଲେ। ବାଘ ଆକ୍ରମଣରେ ଯେଉଁ କୃଷକମାନେ ସେମାନଙ୍କ ପୋଷା ଜୀବଙ୍କୁ ହରାଇଥିଲେ ସେମାନଙ୍କୁ ୩-୪ ଦିନ ମଧ୍ୟରେ କ୍ଷତିପୂରଣ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି।

Share