ନୂଆଦିଲ୍ଲୀ,୨୯।୧୦: ଭାରତୀୟ କ୍ରିକେଟ ଟିମର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ୍ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍ ଥାଆନ୍ତି। କେତେବେଳେ ଅଜବ ଟୁଇଟ୍ ପାଇଁ ତ ଆଉ କେତେବେଳେ ଭିନ୍ନ ପ୍ରତିକ୍ରିୟା ଦେଇ ସେ ଚର୍ଚ୍ଚା ପରିସରକୁ ଆସିଥାନ୍ତି। ନିକଟରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିସିସିଆଇର ଅଧ୍ୟକ୍ଷ ହେବା ପରେ ସେହ୍ବାଗ୍ ଏକ ମତ ଦେଇଛନ୍ତି। ସେ କହିଛନ୍ତି, ୨୦୦୭ରେ ଗାଙ୍ଗୁଲିଙ୍କୁ ନେଇ ଆମେ ଦୁଇଟି ଭବିଷ୍ୟବାଣୀ କରିଥିଲୁ, ସେଥିରୁ ଗୋଟିଏ ସତ ସାବ୍ୟସ୍ତ ହୋଇଛି, ଆଉ ଗୋଟିଏ ବାକି ଅଛି। ୨୦୦୭ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିଲା। କେପଟାଉନ୍ ଟେଷ୍ଟରେ ମୁଁ ଏବଂ ଅନ୍ୟତମ ଓପନର ୱାସିମ ଜାଫର ଶୀଘ୍ର ଆଉଟ୍ ହେବା ସଚିନ ତେନ୍ଦୁଲକରଙ୍କୁ ନମ୍ବର-୪ରେ ବ୍ୟାଟିଂ ପାଇଁ ଆସିବାର ଥିଲା, କିନ୍ତୁ ସେ ଆସି ନ ଥିଲେ। ତାଙ୍କ ବଦଳରେ ଗାଙ୍ଗୁଲିଙ୍କୁ ବ୍ୟାଟିଂ କରିବା ପାଇଁ କୁହାଗଲା। ସେତେବେଳେ ତାଙ୍କ ଫର୍ମ ସେତେଟା ଭଲ ନ ଥିଲା। ତାଙ୍କ ଉପରେ ଚାପ ଥିଲା। ତଥାପି ସେ ୪ ନଂ ସ୍ଥାନରେ ଆଜି ପରିସ୍ଥିତିକୁ ସମ୍ଭାଳିଥିଲେ। ସେଦିନ ଆମେ ସମସ୍ତେ ଡ୍ରେସିଂ ରୁମରେ ଗୋଟିଏ କଥା ଆଲୋଚନା ଚାଲିଥିଲା ଯଦି ଆମ ଭିତରୁ ଭବିଷ୍ୟତରେ ଜଣେ କେହି ବିସିସିଆଇ ଅଧ୍ୟକ୍ଷ ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହେବେ,ତାହେଲେ କେବଳ ‘ଦାଦା’ ହିଁ ହୋଇପାରିବେ। ସେଦିନର ସେହି ଭବିଷ୍ୟବାଣୀ ଆଜି ସତ ସାବ୍ୟସ୍ତ ହୋଇଛି। ତେବେ ଆଉ ଏକ ଭବିଷ୍ୟବାଣୀ ବାକି ଅଛି। ତା’ ମଧ୍ୟ ଖୁବଶୀଘ୍ର ପୂରଣ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।