Categories: ଖେଳ

ଚାଓ୍ବଲାଙ୍କ ଆବେଦନକୁ ୟୁରୋପିଆନ କୋର୍ଟଙ୍କ ପ୍ରତ୍ୟାଖ୍ୟାନ

ଲଣ୍ଡନ, ୭ା୨ (ପି.ଟି.)-ୟୁରୋପିଆନ କୋର୍ଟ ଅଫ୍‌ ହ୍ୟୁମ୍ୟାନ ରାଇଟ୍ସ (ଇସିଏଚ୍‌ଆର୍‌)ଅଭିଯୁକ୍ତ ବୁକି ସଞ୍ଜୀବ ଚାଓ୍ବଲାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ମ୍ୟାଚ୍‌ ଫିକ୍ସିଂ ମାମଲାରେ ଅଭିଯୁକ୍ତ ଚାଓ୍ବଲାଙ୍କୁ ୟୁନାଇଟେଡ୍‌ କିଙ୍ଗଡମ୍‌ (ୟୁକେ)ରୁ ଭାରତ ପ୍ରତ୍ୟର୍ପଣ ପ୍ରକ୍ରିୟା ଚାଲିଥିବାବେଳେ ଏଥିରୁ ମୁକୁଳିବା ଲାଗି ଚାଓ୍ବଲା ଆପ୍ରାଣ ଉଦ୍ୟମ ଚଳାଇଛନ୍ତି। ଶେଷରେ ସେ ମାନବାଧିକାର କାରଣ ଦର୍ଶାଇ ଏଥିରୁ ଖସିବାକୁ ଚେଷ୍ଟା କରିଥିଲେ। ମାତ୍ର ସେ ବିଫଳ ହୋଇଛନ୍ତି। ଫଳରେ ୟୁକେ ସେଣ୍ଟ୍ରାଲ ଅଥରିଟିଙ୍କ ଜରିଆରେ ପ୍ରତ୍ୟର୍ପଣ ପ୍ରକ୍ରିୟା ଆଗେଇବ। ଆଉ କିଛି ଦିନ ମଧ୍ୟରେ ସ୍କଟଲାଣ୍ଡ ପୋଲିସ ବୁକି ଚାଓ୍ବଲାଙ୍କୁ ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରିବ। ପୂର୍ବତନ ୟୁକେ ଗୃହସଚିବ ସାଜିଦ୍‌ ଜାଭିଦ୍‌ଙ୍କ ପ୍ରତ୍ୟର୍ପଣ ନିର୍ଦ୍ଦେଶ ମାନବାଧିକାର କାରଣ ଦର୍ଶାଇ ହାଇକୋର୍ଟରେ ଅପିଲ କରିଥିଲେ। ଗତ ମାସରେ ଲଣ୍ଡନସ୍ଥିତ ରୟାଲ କୋଟର୍‌ସ ଅଫ୍‌ ଜଷ୍ଟିସ ମାମଲାର ଶୁଣାଣି କରିଥିଲେ। ଚାଓ୍ବଲାଙ୍କୁ ୨୮ ଦିନ ମଧ୍ୟରେ ଭାରତ ପ୍ରତ୍ୟାର୍ପଣ କରିବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୨୦୦୦ରେ ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟ ଅଧିନାୟକ ହାନ୍‌ସି କ୍ରୋନିଏଙ୍କୁ ନେଇ ମ୍ୟାଚ ଫିକ୍ସିଂ ସ୍କାଣ୍ଡାଲରେ ବ୍ରିଟିଶ ନାଗରିକ ୫୦ ବର୍ଷୀୟ ଚାଓ୍ବଲା ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ଦକ୍ଷିଣ ଆଫ୍ରିକାର ଭାରତ ଟୁର୍‌କୁ ଫିକ୍ସ କରିବା ଲାଗି କ୍ରୋନିଏଙ୍କ ସହିତ ହୋଇଥିବା ଷଡ଼ଯନ୍ତ୍ରରେ ଚାଓ୍ବଲା ମୁଖ୍ୟଭୂମିକା ଗ୍ରହଣ କରିଥିବା ଅଭିଯୋଗ ହୋଇଛି।

Share