Categories: ଖେଳ

ଗାଙ୍ଗୁଲି ହୋଇପାରନ୍ତି ବିସିସିଆଇ ମୁଖ୍ୟ

କୋଲକାତା,୧୪।୧୦- ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ସର୍ବସମ୍ମତି କ୍ରମେ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଅଫ୍‌ ଇଣ୍ଡିଆ (ବିସିସିଆଇ)ର ନୂଆ ସଭାପତି ହୋଇପାରନ୍ତି। ପୂର୍ବତନ କ୍ରିକେଟର ବ୍ରିଜେଶ ପଟେଲ ଅନ୍ୟ ପଦ ପାଇଁ ରାଜି ହୋଇଯାଇଥିବା ସୂଚନା ମିଳିଛି। ଗୃହମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ଶାହ ସାଧାରଣ ସମ୍ପାଦକ ପଦ ପାଇଁ ପ୍ରସ୍ତୁତ ହେଉଛନ୍ତି। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଅରୁନ ଧୂମାଲ ଟ୍ରେଜରର ଦାୟିତ୍ୱ ସମ୍ଭାଳି ପାରନ୍ତି। ସେ ପୂର୍ବତନ ବିସିସିଆଇ ସଭାପତି ତଥା ରାଜ୍ୟ ପାହ୍ୟା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଭାଇ। ସୋମବାର ପ୍ରାର୍ଥତ୍ପତ୍ର ଦାଖଲ କରିବାକୁ ଅନ୍ତିମ ଦିନ ଥିବାବେଳେ ସର୍ବସମ୍ମତି କ୍ରମେ ସମସ୍ତ ପଦବୀ ପାଇଁ ନିର୍ବାଚିତ ହେବାର ବିଶେଷ ସମ୍ଭାବନା ରହିଛି। ୪୭ ବର୍ଷୀୟ ଗାଙ୍ଗୁଲି କ୍ରିକେଟ ଆସୋସିଏଶନ ଅଫ୍‌ ବେଙ୍ଗଲ (ସିଏବି)ର ଅଧ୍ୟକ୍ଷ। ଯଦି ଗାଙ୍ଗୁଲି ବିସିସିଆଇ ସଭାପତି ହୁଅନ୍ତି, ତେବେ ସେ ୨୦୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଦାୟିତ୍ୱ ସମ୍ଭାଳିବେ। ଅନ୍ୟପକ୍ଷରେ ବ୍ରିଜେଶଙ୍କୁ ତାମିଲନାଡୁ କ୍ରିକେଟ ଆସୋସିଏଶନ ପକ୍ଷରୁ ପୂରା ସମର୍ଥନ ମିଳିଛି। ଏନ୍‌. ଶ୍ରୀନିବାସନଙ୍କ ସମର୍ଥନ ଯୋଗୁ ବ୍ରିଜେଶ ସଭାପତି ପଦ ଦୌଡ଼ରେ ସାମିଲ ଥିଲେ। କିନ୍ତୁ ଗାଙ୍ଗୁଲି ଆମ ନୂଆ ସଭାପତି ବୋଲି ଜଣେ ଉତ୍ତର-ପୂର୍ବ ସୀକୃତିପ୍ରାପ୍ତ ୟୁନିଟର ସିନିୟର ଅଫିସିଆଲ କହିଛନ୍ତି। ପଟେଲଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇପାରେ।

Share