ଗାଜଲବାଡ଼ି ଘାଟିରେ ସରୁନି ଗାର୍ଡଓ୍ବାଲ କାର୍ଯ୍ୟ, ଚାଳକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ଟଳିଲା ବଡ଼ଧରଣର ଦୁର୍ଘଟଣା

ଦାରିଙ୍ଗବାଡ଼ି,୨।୨(ଡି.ଏନ୍‌.ଏ.): କନ୍ଧମାଳ-ଗଞ୍ଜାମ ସୀମାବର୍ତ୍ତୀ ଗାଜଲବାଡ଼ି ଘାଟିରେ ରବିବାର ସକାଳେ ଏକ ବଡ଼ ଧରଣର ଦୁର୍ଘଟଣା ଟଳି ଯାଇଛି। ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଟ୍ରକ୍‌ଟିକୁ ରୋକିବାରେ ସଫଳ ହୋଇଛନ୍ତି।
ସୂଚନାଯୋଗ୍ୟ, ଟ୍ରକ ନଂ.(ଓଆର-୧୫ ଆର୍‌-୦୩୬୩) ଦାରିଙ୍ଗବାଡ଼ିରୁ ୫୯ନଂ ଜାତୀୟ ରାଜପଥରେ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ତେବେ ଗାଜଲବାଡି ଘାଟିର ୯ନଂ. ବୁଲାଣି ରାସ୍ତାରେ ଟ୍ରକଟିକୁ ଚାଳକ କାଟି ପାରି ନ ଥିଲେ ଫଳରେ ଟ୍ରକ୍‌ଟି ସିଧା ଗଡ଼ି ରାସ୍ତା ପାର୍ଶ୍ୱରେ ଥିବା କାଦୁଅରେ ଫସି ଯାଇଥିଲା। ଆଉ ମାତ୍ର କିଛି ଦୂରରେ ପ୍ରାୟ ୨ଶହ ଫୁଟର ଏକ ଖାଲଥିବାରୁ ଚାଳକ ଭୟଭୀତ ହୋଇପଡ଼ିଥିଲେ। ଉକ୍ତ ଘାଟିରେ ଗତ ୩ବର୍ଷ ହେଲା ଗାର୍ଡୱାଲ ନିର୍ମାଣ ଚାଲିଥିଲେ ମଧ୍ୟ ନିୟମିତ କାର୍ଯ୍ୟ ହେଉ ନ ଥିବାରୁ ଘାଟି ରାସ୍ତା ବିପଦସଙ୍କୁଳ ପରିସ୍ଥିତିରେ ରହିଛି। ସେହିପରି ତିତ୍‌ଲି ବାତ୍ୟା ସମୟରେ ଉକ୍ତ ଘାଟିରାସ୍ତାରେ ଭୁସ୍ଖଳନ ଯୋଗୁଁ ଦୀର୍ଘଦିନ ଧରି ରାସ୍ତାରେ ଯାତାୟାତ ବନ୍ଦ ଥିଲା। ସେହିଦିନ ଠାରୁ ଉକ୍ତ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେଉଛି। ଖବର ଲେଖାହେବା ପର୍ଯ୍ୟନ୍ତ ରାଜପଥ ଉପରେ ଏକାଧିକ ଗାଡ଼ିମୋଟର ଅଟକି ରହିବା ସହ ବାଲିଗୁଡ଼ାଠାରୁ ଦାରିଙ୍ଗବାଡ଼ି ଦେଇ ବ୍ରହ୍ମପୁର,ଭୁବନେଶ୍ବରକୁ ଗାଡ଼ି ଚଳାଚଳ ବନ୍ଦ ରହିଛି।

Share