ବରଗଡ଼ ଅଫିସ୍/ଅତାବିରା, ୨୦ା୪: ବରଗଡ଼ ଜିଲା ଅତାବିରା ବ୍ଲକ ଦୁଲମପୁରରୁ ଆନ୍ଧ୍ରପ୍ରଦେଶକୁ ଯିବା ପାଇଁ ଦିଆଯାଇଥିବା ଗାଡ଼ିପାସ୍ରେ ଲକ୍ ଡାଉନ କଟକଣା ଉଲ୍ଲଂଘନ ଘଟଣାକୁ ନେଇ ଚର୍ଚ୍ଚା ଥମିନାହିଁ । ଅନ୍ୟପକ୍ଷେ ଗାଡ଼ିପାସ୍ କାମ ନ ଦେବାରୁ ରବିବାର ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟଲି ପଞ୍ଚାୟତର ଝରାଡ଼େରାକୁ ହାର୍ଭେଷ୍ଟର୍ ଡ୍ରାଇଭର ନେବା ପାଇଁ ବାଲେଶ୍ୱରରୁ ଆସିଥିବା ୨ଜଣଙ୍କୁ ନିରାଶରେ ସେମାନେ ଆଣିଥିବା କାର୍ରେ ଫେରିବାକୁ ପଡ଼ିଛି। ସୂଚନା ଅନୁଯାୟୀ, ଶନିବାର ଏକ କାର୍(ନଂ-୦୧ୱାଇ ୬୦୧୬) ଯୋଗେ ବାଲେଶ୍ୱର ଜିଲାରୁ ଦେବଦତ୍ତ ଦାଶ ଓ ଦୟାନିଧି ସେଣ ଝରାଡ଼େରା ଗ୍ରାମକୁ ଆସିଥିଲେ। ବାଲେଶ୍ୱର ଜିଲା ମୁଖ୍ୟ କୃଷି ଅଧିକାରୀଙ୍କଠାରୁ ମିଳିଥିବା ଏକ ଗାଡ଼ିପାସ୍ ଧରି ସେମାନେ ଏଠାକୁ ଆସିଥିଲେ । ହାର୍ଭେଷ୍ଟର ମାଲିକ ରୂପଚାନ୍ଦ ହେମ୍ବ୍ରମଙ୍କୁ ସେହି ଗାଡ଼ିପାସ୍ ଦିଆଯାଇଥିଲା। ଡ୍ରାଇଭର ଦେବଦତ୍ତ ଦାଶ ସମ୍ପୃକ୍ତ ଗାଡ଼ିରେ ଝରାଡ଼େରାକୁ ଯାଇ ହାର୍ଭେଷ୍ଟର ଡ୍ରାଇଭର ପଞ୍ଚମ ବେହେରା ଓ ରତନ ବେହେରାଙ୍କୁ ଆଣିବାକୁ ଏଥିରେ ଉଲ୍ଲେଖିତ ରହିଛି । ଅନ୍ୟପକ୍ଷେ ଦୟାନିଧିଙ୍କ ନାମ ଗାଡ଼ିପାସ୍ରେ ଉଲ୍ଲେଖ ନଥିବାବେଳେ ସେ ସେହି ଗାଡ଼ିରେ ଦେବଦତ୍ତଙ୍କ ସହିତ ଏଠାକୁ ଆସିଥିବା ଯୋଗୁ ଏହି ଗାଡ଼ିପାସ୍ରେ ଲକ୍ ଡାଉନ୍ କଟକଣା ଉଲ୍ଲଂଘନ କରାଯାଇଥିବା ସ୍ପଷ୍ଟ ହୋଇଛି। ତେବେ ସମ୍ପୃକ୍ତ ଗାଡ଼ିରେ ଦେବଦତ୍ତ, ଦୟାନିଧି ବାଲେଶ୍ୱରରୁ ଆସି ଝରାଡ଼େରା ପହଞ୍ଚିବା ପରେ ସ୍ଥାନୀୟ ଲୋକେ ସେମାନଙ୍କୁ ଅଟକ ରଖି ବିଭାଗୀୟ ଅଧିକାରୀଙ୍କୁ ଖବର ଦେଇଥିଲେ। ଏହାପରେ ବିଡ଼ିଓ ମୂରଲୀଧର ନାୟକ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ରେପିଡ୍ ରେସପନ୍ସ ଟିମ୍ ଏ ନେଇ ପ୍ରାଥମିକ ତଦନ୍ତ କରିଥିଲେ। ସେହିପରି ଭାରପ୍ରାପ୍ତ ସିଡ଼ିପିଓ, କ୍ଷେତ୍ର ପରିଦର୍ଶିକା ମଧ୍ୟ ଏହାର ତଦନ୍ତ କରିଥିଲେ ଏବଂ ତଦନ୍ତ ପରେ ବାଲେଶ୍ୱରରୁ ଆସିଥିବା ଉପରୋକ୍ତ ୨ଜଣଙ୍କୁ ଫେରାଇ ଦିଆଯାଇଥିଲା। ଅପରପକ୍ଷେ ସେମାନଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କୁ ୨୮ଦିନ ହୋମ କ୍ବାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି। ତେବେ ହାର୍ଭେଷ୍ଟର ଡ୍ରାଇଭର ଆଳରେ ଗାଡ଼ିପାସ୍ ନେଇ ବହୁଲୋକେ ଜିଲା ତଥା ରାଜ୍ୟ ବାହାରକୁ ଯାଉଥିବା ନେଇ ପଚାରିବାରୁ ଭେଡ଼େନ ବ୍ଲକ କୃଷି ଅଧିକାରୀ ଆନନ୍ଦ ଭୋଇଙ୍କୁ ପଚାରିବାରୁ କୃଷି ଯନ୍ତ୍ରପାତି ପରିବହନ କଟକଣାମୁକ୍ତ। ମାତ୍ର ବିନା ଜରୁରୀ କାମରେ କୌଣିସି ଲୋକ ସେଭଳି ଯିବା ଆସିବାରେ କଟକଣା ରହିଛି ବୋଲି କହିଥିଲେ।