Categories: କନ୍ଧମାଳ

ଗାଡ଼ିରେ ମହାକାଶ ବିଜ୍ଞାନ ପ୍ରଦର୍ଶନୀ

ଫୁଲବାଣୀ ଅଫିସ, ୧୦ା୧୦- କନ୍ଧମାଳ ଜିଲା ଫୁଲବାଣୀ କରୋନେଶନ ପଡିଆରେ ୨ ଦିନ ଧରି ଏକ ବସ୍‌ରେ ମହାକାଶ ବିଜ୍ଞାନ ପ୍ରଦର୍ଶନୀ ଆୟୋଜନ ହୋଇଥିଲା। ମହାକାଶ ପ୍ରଯୁକ୍ତିବିଦ୍ୟାର ଜନକ ଡ. ବିକ୍ରମ ସରାଭାଇଙ୍କ ୧୦୦ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଇସ୍ରୋ ପକ୍ଷରୁ ଏହି ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଇସ୍ରୋ ବୈଜ୍ଞାନିକ ତଥା କନ୍ଧମାଳ ଜିଲାର ଅଭିମନ୍ୟୁ ମଲ୍ଲିକ ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ଯୁବତୀ ଯୁବକ ଏବଂ ସମସ୍ତ ବର୍ଗର ଲୋକଙ୍କୁ ମହାକାଶ ବିଜ୍ଞାନ ଉପରେ ଅବଗତ କରାଇଥିଲେ।
ବସ୍‌ ଭିତରେ ଚନ୍ଦ୍ରଯାନ-୧, ଚନ୍ଦ୍ରଯାନ-୨, ସାଟେଲାଇଟ, ଆଣ୍ଟିନା, ଲ୍ୟାଣ୍ଡର ବିକ୍ରମ ଆଦିର ତୁଳନାତ୍ମକ ଛବିକୁ ଉତ୍ସୁକତାର ସହ ଛାତ୍ରୀମାନେ ବୁଲି ଦେଖିଥିଲେ। ଏ ସମ୍ବନ୍ଧରେ ସମସ୍ତଙ୍କୁ ବୁଝାଇବା ଲାଗି ବୈଜ୍ଞାନିକ ମଲ୍ଲିକ କେତେଜଣ ମେଧାବୀ ଛାତ୍ରୀଙ୍କୁ ତାଲିମ ଦେଇ ନିର୍ଦ୍ଧିଷ୍ଟ ଛବି ପାଖରେ ନିୟୋଜିତ କରିଥିଲେ। ବୈଜ୍ଞାନିକ ମଲିକ ବସ୍‌ ଭିତରେ ଉପସ୍ଥିତ ରହି ଛାତ୍ରୀଛାତ୍ରମାନଙ୍କୁ ତୁଳାନାତ୍ମକ ଚିତ୍ରରେ ମହାକାଶ କ’ଣ, ସେଠାକୁ କିପରି ଯାନ ଯାଏ, କ’ଣ ସବୁ ଜଟିଳ ସମସ୍ୟା ରହିଛି, ମହାକାଶ ବିଜ୍ଞାନ ଆମ ଦୈନନ୍ଦିନ ଜୀବନରେ କିପରି କାମରେ ଆସୁଛି ତାହା ଉପରେ ବୁଝାଇ
ଥିଲେ। ଗ୍ରାମାଞ୍ଚଳର ପିଲାମାନେ ମହାକାଶ ବିଜ୍ଞାନ କ’ଣ ଭଲ ଭାବରେ ବୁଝନ୍ତି ନାହିଁ। ଏହା ଏବେ ଆମର ଜୀବନ ଧାରଣର ମୁଖ୍ୟ ମାର୍ଗ ପାଲଟିଛି। ଆମେ ମହାକାଶ ବିଜ୍ଞାନ ସହ ପ୍ରତ୍ୟେକ୍ଷ ଭାବେ ଜଡିତ ରହିଛୁ। ମହାକାଶ ବିଜ୍ଞାନ କ୍ଷେତ୍ରରେ ଇସ୍ରୋ କ’ଣ କରୁଛି, ସାଟେଲାଇଟ ଦ୍ୱାରା ଆମର କ’ଣ ଉପକାର ହେଉଛି ତାହା ବିଷୟରେ ଜାଣିବା ନିହାତି ଆବଶ୍ୟକ। ମହକାଶ ବିଜ୍ଞାନ ଦ୍ୱାରା ପାଣିପାଗ ସୂଚନା, ସହର ନିର୍ମାଣ, କେଉଁଠି ରାସ୍ତା କରିବା, ଗାଡି କେଉଁଠି ଯାଉଛି ତାହା ଠାବ କରିବା, କେଉଁ ସ୍ଥାନରେ ପ୍ରକଳ୍ପ ହେଲେ ଜଳ ସେଚନର ସୁବିଧା ହେବ, ବନ୍ୟା, ବାତ୍ୟା ବିଷୟରେ ଆଗୁଆ ସୂଚନା, ଟେଲି ଯୋଗାଯୋଗ, ବ୍ୟାଙ୍କିଙ୍ଗ, ଏଟିଏମ୍‌, ରେଡିଓ ବ୍ରୋଡକାଷ୍ଟିଂ ଆଦି ବିଷୟରେ ଆମେ ଜାଣି ପାରୁଛେ। ପିଲାମାନେ କିପରି ମହାକାଶ ବିଜ୍ଞାନ ଉପରେ ଜାଣିବେ ଏବଂ ଏହା ଉପରେ ଅଧ୍ୟବସାୟ କରିବେ ତାହା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ବୈଜ୍ଞାନିକ ମଲ୍ଲିକ ପ୍ରକାଶ କରିଛନ୍ତି।