Categories: ବାଣିଜ୍ୟ

ଗାଡ଼ିର ଥାର୍ଡ ପାର୍ଟି ବୀମା ପ୍ରିମିୟମ ବଢ଼ିବ

ନୂଆଦିଲ୍ଲୀ,୨୧-୫: ବୀମା ନିୟାମକ ଆଇଆର୍‌ଡିଏଆଇ ଚଳିତ ଆର୍ଥିକ ବର୍ଷରେ କାର୍‌,ଦୁଇ ଚକିଆ ଏବଂ ବାଣିଜି୍ୟକ ଯାନର ଥାର୍ଡ ପାର୍ଟି ବୀମା ପ୍ରିମିୟମ ବୃଦ୍ଧି କରିବାକୁ ଯାଉଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ, ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ୧୦୦୦ ସିସିରୁ କମ୍‌ କାର୍‌ ପାଇଁ ଥାର୍ଡ ପାର୍ଟି ବୀମା ପ୍ରିମିୟମକୁ ୧୮୫୦ ଟଙ୍କାରୁ ୨୧୨୦ ଟଙ୍କାକୁ ବୃଦ୍ଧି କରିବାକୁ ଯାଉଛି। ସେହିପରି ୧୦୦୦ସିସିରୁ ଊର୍ଦ୍ଧ୍ୱ ଏବଂ ୧୫୦୦ ସିସିରୁ ମଧ୍ୟରେ କାର୍‌ ପାଇଁ ପ୍ରିମିୟମ ୨୮୬୩ ଟଙ୍କାରୁ ୩୩୦୦ ଟଙ୍କାକୁ ବୃଦ୍ଧି ପାଇବ। ତେବେ ୧୫୦୦ ସିସିର ଲକ୍‌ଜରୀ କାର୍‌ ପାଇଁ ଥାର୍ଡ ପାର୍ଟି ବୀମା ପ୍ରିମିୟମରେ କୌଣସି ପରିବର୍ତ୍ତନ କର ନ ଯାଇ ବର୍ତ୍ତମାନର ୭୮୯୦ ଟଙ୍କାରେ ସ୍ଥିର ରଖିବାକୁ ନିଷ୍ପତ୍ତି ହୋଇଛି। ସାଧାରଣତଃ ଏପ୍ରିଲ ପହିଲାରୁ ଥାର୍ଡ ପାର୍ଟି ବୀମା ପ୍ରିମିୟମ ସମ୍ପର୍କରେ ଆଇଆର୍‌ଡିଏଆଇ ନିଷ୍ପତ୍ତି ନେଇଥାଏ। ତେବେ ଚଳିତବର୍ଷର ପୁରୁଣା ହାରକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଜାରି ରଖିବାକୁ କୁହାଯାଇଛି। ବର୍ତ୍ତମାନ ବୀମା ନିୟାମକ ଥାର୍ଡ ପାର୍ଟି ବୀମା ପ୍ରିମିୟମ ବୃଦ୍ଧି ନେଇ ଏକ ଚିଠାପ୍ରସ୍ତାବ ଜାରି କରିଛି। ଚଳିତ ମାସ ୨୯ତାରିଖ ସୁଦ୍ଧା ଏ ସମ୍ପର୍କରେ ନିଜର ମତ ପ୍ରକାଶ କରିବାକୁ ସମ୍ବନ୍ଧିତ ପକ୍ଷଙ୍କୁ କୁହାଯାଇଛି। ଚିଠା ପ୍ରସ୍ତାବ ଅନୁଯାୟୀ, ୭୫ସିସିର ଦୁଇଚକିଆ ଗାଡ଼ି ପାଇଁ ବୀମା ପ୍ରିମିୟମକୁ ୪୨୭ ଟଙ୍କାରୁ ୪୮୨ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ୭୫ସିସିରୁ ୩୫୦ସିସି ମଧ୍ୟରେ ଥିବା ଗାଡ଼ି ପାଇଁ ମଧ୍ୟ ପ୍ରିମିୟମ ବଢ଼ାଯିବାର ପ୍ରସ୍ତାବ ଦିଆଯାଇଛି। କିନ୍ତୁ ୩୫୦ସିସିରୁ ଅଧିକ ସୁପରବାଇକ ପାଇଁ ପ୍ରିମିୟମ ଯଥାସ୍ଥିତି ରଖାଯାଇଛି। ଅପରପକ୍ଷରେ ଘରୋଇ ଇଲେକ୍ଟ୍ରିକ କାର୍‌ ଓ ଦୁଇ ଚକିଆ ଯାନ ପାଇଁ ପ୍ରିମିୟମକୁ ୧୫% ହ୍ରାସ କରାଯିବାକୁ ପ୍ରସ୍ତାବ ଦିଆଯାଇଛି। ଅନୁରୂପ ଭାବେ ଇ-ରିକ୍ସାର ପ୍ରିମିୟମ ଅପରିବର୍ତ୍ତିତ ରଖାଯାଇଥିବା ବେଳେ ସ୍କୁଲ ବସ୍‌ ପାଇଁ ଏହା ବୃଦ୍ଧି କରାଯିବାର ପ୍ରସ୍ତାବ ଦିଆଯାଇଛି। ସେହିପରି ଟ୍ୟାକ୍ସି, ବସ୍‌ ଓ ଟ୍ରକ୍‌, ଟ୍ରାକ୍ଟର ପାଇଁ ଥାର୍ଡ ପାର୍ଟି ପ୍ରିମିୟମ ବୃଦ୍ଧି କରାଯିବାର ପ୍ରସ୍ତାବ ରହିଛି। ଏଥିସହିତ ନୂଆ କାର୍‌ ମାମଲାରେ ଗୋଟିଏ ଥର ୩ ବର୍ଷ ପାଇଁ ପ୍ରିମିୟମ ହାର ଏବଂ ନୂଆ ଦୁଇଚକିଆ ଗାଡ଼ି ପାଇଁ ୫ ବର୍ଷର ପ୍ରିମିୟମ ହାର ଆଦାୟ କରିବାକୁ ପ୍ରସ୍ତାବ ଦିଆଯାଇଛି।

Share