ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହେବା ହେଲା କାଳ: ଅଟୋ ଓଲଟି ୭ ଛାତ୍ରୀଛାତ୍ର ଆହତ, ଜଣେ ଗୁରୁତର

ଚନ୍ଦ୍ରଗିରି,୯।୮(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ଥାନା ଜାଲିବାଡ଼ଇ ଗ୍ରାମ ନିକଟରେ ଶୁକ୍ରବାର ସକାଳେ ଏକ ଅଟୋ ଓଲଟି ପଡିବାରୁ ୮ ଛାତ୍ରୀଛାତ୍ର ଆହତ ହୋଇଥିବା ବେଳେ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ଗୁରୁତର ଛାତ୍ର ହେଲେ ଅଲିଫ ବୀର(୧୫)। ସେହିଭଳି ଆହତମାନେ ହେଲେ ମଧିୟାସ ଲିମା(୧୩), ରେହାନ ନାୟକ(୦୭), ମୋନାଲିସା ପରିଚ୍ଛା (୧୬), ଲିଲି ବୀର(୧୩), ସାଇନା ଲିମା (୦୪), ମଧୁସ୍ମିତା ନାୟକ(୪), ଓ ସାହିଲ ଛିଞ୍ଚାଣି (୧୪)। ସମସ୍ତଙ୍କୁ ପ୍ରଥମେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଅଲିଫଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ନେବାକୁ ପ୍ରୟାସ କରାଯାଉଛି।

ସୂଚନାନୁଯାୟୀ, ସବୁଦିନ ପରି ଶୁକ୍ରବାର ଶିଙ୍କୁଳିପଦର ଗ୍ରାମରୁ ୧୨ ଜଣ ଛାତ୍ରୀଛାତ୍ରଙ୍କୁ ନେଇ ଏକ ଅଟୋ(ଓଡି୦୭ଓ୍ବାଇ ୪୮୦୫) ଚନ୍ଦ୍ରଗିରି ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ତେବେ ଡ୍ରାଇଭର ମୋବାଇଲରେ କଥା ହୋଇ ଗାଡ଼ି ଚଳାଉଥିବା ଯୋଗୁ ଜାଲିବାଡ଼ଇ ଗ୍ରାମ ବୁଲାଣି ରାସ୍ତାରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଖବର ପାଇ ସ୍ଥାନୀୟଲୋକେ ଘଟଣାସ୍ଥଳରେ ପହଞ୍ଚି ଆହତ ଛାତ୍ରୀଛାତ୍ରଙ୍କୁ ଉଦ୍ଧାର କରି କାର୍‌ ଏବଂ ଅନ୍ୟ ଅଟୋ ସାହାଯ୍ୟରେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଖବର ପାଇ ଚନ୍ଦ୍ରଗିରି ମେଡିକାଲରେ ମୋହନା ଥାନା ପୋଲିସ ଏସ୍‌ଆଇ ଆଲୋକ ରଞ୍ଜନ ଜଗଦଳା ଏବଂ ତାଙ୍କ ଟିମ୍‌ ପହଞ୍ଚି ଆହତମାନଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିଛନ୍ତି। ଏଥିସହ ଦୁର୍ଘଟଣା ଘଟାଇଥିବା ଅଟୋକୁ ଜବତ କରି ଚନ୍ଦ୍ରଗିରି ପୋଲିସ ଫାଣ୍ଡିକୁ ଆଣି ତଦନ୍ତ ଚଳାଇଛନ୍ତି। କିନ୍ତୁ ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଫେରାର ଅଛି।

Share