ଗାଡ଼ି ଧକ୍କାରେ ଯୁବ ଇଞ୍ଜିନିୟର ମୃତ : ଉତ୍ତ୍ୟକ୍ତ ଲୋକଙ୍କ ଜାତୀୟ ରାଜପଥ ଅବରୋଧ

କେନ୍ଦୁଝର/ପାଟଣା,୧୩ା୭(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ତୁରମୁଙ୍ଗା ରେଙ୍ଗାଳବେଡା ନିକଟରେ ଏକ ଗାଡି ଧକ୍କାରେ ଯୁବ ଇଞ୍ଜିନିୟର ସଂଗ୍ରାମ କେଶରୀ ସାହୁଙ୍କର ମୃତ୍ୟୁ ହୋଇଛି।  ନୟାଗଡ ବ୍ଲକ ଝୁମ୍ପୁରା ନିକଟ ପଟ୍ଟନାୟକ ପୁରଣାପାଣିସ୍ଥିତ  ଷ୍ଟିଲରେ ସେ କାର୍ଯ୍ୟରତ ଥିଲେ। ଶନିବାର ରାତିରେ ଡ୍ୟୁଟି ସାରି ଏକ ମୋଟରସାଇକେଲରେ ନିଜ ଗାଁ ପାଟଣା ବ୍ଲକ ଅଧୀନ ମୁରୁସୁଆଁକୁ ଯାଉଥିବାବେଳେ ଏକ ଗାଡି ତାଙ୍କୁ ଧକ୍କା ଦେଇଥିଲା।   ଶୁକ୍ରବାର  ସକାଳ ସମୟରେ ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକ ଜାଣିବା ପରେ ଜାତୀୟ ରାଜପଥ ୪୯ ଅବରୋଧ କରିଥିଲେ। ଦୁର୍ଘଟଣା ରାତି ପ୍ରାୟ ସାଢ଼େ ୧୦ଟାରେ ଘଟିବାପରେ ଦୀର୍ଘ ସମୟ ଧରି ଆହତ ଅବସ୍ଥାରେ ସଂଗ୍ରାମ ରାସ୍ତାରେ ପଡି ରହିଥିଲେ। ଶନିବାର ଭୋର ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡିଛି। ସ୍ଥାନୀୟ ଲୋକେ ଶନିବାର ଏସମ୍ପର୍କରେ ଜାଣିବାପରେ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। କ୍ଷତିପୂରଣ ଦାବିରେ ସେମାନେ ରାସ୍ତା ଅବରୋଧ କରିବାରୁ ବହୁ ଯାନବାହନ ଅଟକିରହିଥିଲା। ଏସ୍‌ଡିପିଓ ମଲ୍ଲିକ ଓ ପାଟଣା ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରିବା ପରେ ଜାତୀୟ ରାଜପଥ ନିର୍ମାଣକାରୀ ମଣ୍ଟେକାର୍ଲୋ ପକ୍ଷରୁ ମୃତକଙ୍କ ପରିବାରକୁ ୧ଲକ୍ଷ ୨୦ହଜାର ଟଙ୍କା ଏବଂ ରେଡକ୍ରସ ପକ୍ଷରୁ ୧୦ହଜାର ଟଙ୍କା ସହ ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କା ଦିଆଯିବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା। ସଂଗ୍ରାମ ଅନସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧୀନ ଜଡିପଦା ଉଚ୍ଚବିଦ୍ୟାଳୟର ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଜଳଧର ସାହୁଙ୍କ କନିଷ୍ଠ ପୁତ୍ର।