ଗାଡ଼ି ଧକ୍କାରେ ୨ ଛାତ୍ର ମୃତ

ଭଦ୍ରକ ଅଫିସ, ୧୧।୯:ଭଦ୍ରକ ସହର ନୂଆ ବସ୍‌ଷ୍ଟାଣ୍ଡ ନିକଟସ୍ଥ ଲୋକାଲ ରୋଡ୍‌ ନିକଟରେ ମଙ୍ଗଳବାର ସକାଳ ସାଢେ ୬ଟା ବେଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୨ ଜଣ ଛାତ୍ରଙ୍କ ଜୀବନ ଯାଇଛି। ଏହି ଦୁର୍ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଛାତ୍ର ଦ୍ୱୟ ପ୍ରାତଃ ସାଇକେଲ ଚାଳନା କରୁଥିବା ବେଳେ ନାଲିରଙ୍ଗର ଏକ ଇଣ୍ଡିଗୋ କାର ସେମାନଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଟାଉନ ପୋଲିସ ପହଞ୍ଚି ଦୁଇ ଛାତ୍ରଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ଚିକିତ୍ସାଳୟ ପଠାଇଥିଲା।
ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତ ଦୁଇ ଜଣ ଛାତ୍ର ହେଲେ କୁଆଁସ ଗ୍ରାମରେ ଭଡାରେ ରହି ୮ମ ଶ୍ରେଣୀରେ ପଢୁଥିବା ଛାତ୍ର ସୁମିତ୍‌ ସାହୁ ଓ ଅନ୍ୟ ଜଣେ ହେଲେ ୧୦ମ ଶ୍ରେଣୀର ଛାତ୍ର ଶୁଭଙ୍କର ମଲ୍ଲିକ। ସେମାନେ ଦୁଇଟି ସାଇକେଲ ଯୋଗେ ନିଜ ଘରୁ ପ୍ରାତଃ ସାଇକେଲ ଚାଳନା ପାଇଁ ବାହାରିଥିଲେ। ନୂଆ ବସ୍‌ଷ୍ଟାଣ୍ଡ ନିକଟସ୍ଥ ଲୋକାଲ ରୋଡ ଓ ଜାତୀୟ ରାଜପଥ-୧୬ ସଂଯୋଗ ଛକ ନିକଟରେ ଦ୍ରୁତଗତିରେ ଆସୁଥିବା କାର୍‌ ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା। ଗୋଟିଏ ସାଇକେଲ ଦୁର୍ଘଟଣାସ୍ଥଳରୁ ୨୦ ମିଟର ଦୂରକୁ ଛିଟିକି ପଡିଥିବା ବେଳେ ଅନ୍ୟ ସାଇକେଲଟି ଦୁର୍ଘଟଣା ଘଟାଇଥିବା ଗାଡିରେ ଲାଗି ପ୍ରାୟ ୫ ଶହ ମିଟର ଦୂର ଯାଏ ଘୋଷାରି ହୋଇ ଯାଇଥିଲା। ଦୁର୍ଘଟଣା ସ୍ଥଳରେ ପ୍ରଚୁର ରକ୍ତସ୍ରାବ ହେବା କାରଣରୁ ଛାତ୍ର ଦ୍ୱୟଙ୍କର ସେଠାରେ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଉକ୍ତ ଗାଡିଟିକୁ ଅଟକାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ଡ୍ରାଇଭର ଦ୍ରୁତବେଗରେ ଗାଡି ନେଇ ଚାଲିଯାଇଥିଲେ। ପ୍ରଥମେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଛାତ୍ରଦ୍ୱୟ ମୃତ ବୋଲି ପୋଲିସକୁ ଖବର ଦେଇଥିଲୋ। ଟାଉନ ଥାନାଧିକାରୀ ସରୋଜିନୀ ସିଂ ପହଞ୍ଚି ଏକ ଆମ୍ବୁଲାନ୍ସ ଯୋଗେ ଛାତ୍ର ଦ୍ୱୟଙ୍କ ମୃତଦେହକୁ ଜିଲା ଚିକିସତ୍ାଳୟକୁ ପଠାଇଥିଲେ। ମୃତ ସୁମିତ୍‌ଙ୍କ ଘର ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ଦୋଳପଦୀ ଗ୍ରାମରେ। ସେ ଭଦ୍ରକର କୁଆଁସରେ ରହି ନୂଆବଜାର ସ୍ଥିତ ମଞ୍ଜୁଳ ମଞ୍ଜରୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପାଠ ପଢୁଥିଲେ। ମୃତ ଶୁଭଙ୍କରଙ୍କ ଘର ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଅଞ୍ଚଳରେ ବୋଲି ଜଣାପଡିଛି। ସେ ଚରମ୍ପା ସେଣ୍ଟ ଜାଭିୟର୍‌ ସ୍କୁଲରେ ପାଠ ପଢୁଥିଲେ।