Categories: ଜାତୀୟ

ଗାଡିରେ ଲେଖାହୋଇଛି ନବାବ-ଦାରୁ: ଚିନ୍ତାରେ ପୋଲିସ, ନମ୍ବର ନ ଥାଇ କିପରି କାଟିବ ଚାଲାଣ

ଆଗ୍ରା,୧୩।୧୨: ଦେଶରେ ନୂଆ ମୋଟରଯାନ ଲାଗୁ ହେବା ପରେ ଟ୍ରାଫିକ୍‌ ନିୟମ କଡ଼ାକଡ଼ି ହୋଇଛି। ଏଥିସହ ଟ୍ରାଫିକ୍‌ ପୋଲିସ ପକ୍ଷରୁ ଏକ ଫଟୋ ଚାଲାଣର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି ବ୍ୟବସ୍ଥାରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ଗାଡି ନମ୍ବରର ଫଟୋ ଉଠାଯାଇ ତାଙ୍କ ଘରକୁ ଚାଲାଣ ପଠାଯାଉଛି। ତେବେ ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ବାଧ୍ୟତାମୂଳକ ହୋଇଥିବା ବେଳେ କିଛି ବ୍ୟକ୍ତି ନିଜ ମନମୁତାବକ ବିଭିନ୍ନ ଷ୍ଟାଇଲ୍‌ରେ ନମ୍ବର ଲେଖୁଥିବା ଦେଖିବାକୁ ମିଳିଛି। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଆଗ୍ରାରେ। କିଏ ନିଜ ଗାଡିର ନମ୍ବର ପ୍ଲେଟରେ ୪୧୪୧କୁ ‘ପାପା’ ଷ୍ଟାଇଲ୍‌ରେ ତ ଆଉ କିଏ ‘ନବାବ’ ଓ ପଞ୍ଜାବୀ ଲେଖିଥିବା ଦେଖିବାକୁ ମିଳିଛି। ଆଉ କିଏ କିଏ ନମ୍ବର ବଦଳରେ ‘ଦାରୁ’ ଲେଖିଛନ୍ତି। ଏଭଳି ସ୍ଥିତିରେ ରାସ୍ତାରେ ଯାତାୟାତ କରୁଥିବା ଉକ୍ତ ଗାଡି ଏବେ ପୋଲିସର ଚିନ୍ତା ବଢ଼ାଇଦେଇଛି। କାରଣ ନମ୍ବରଗୁଡିକ ସ୍ପଷ୍ଟ ଜଣାପଡ଼ୁ ନ ଥିବାରୁ ନିୟମ ଉଲ୍ଲଂଘନ ପରେ ବି ଉଲ୍ଲଂଘନକାରୀଙ୍କ ବିରୋଧରେ ପୋଲିସ ଫଟୋ ଚାଲାଣ କାଟିପାରୁ ନାହିଁ। ଏନେଇ ଟ୍ରାଫିକ୍‌ ଏସ୍‌ପି କହିଛନ୍ତି, ସହଜରେ ପଢ଼ାଯାଇ ପାରୁଥିବା ଭଳି ନମ୍ବର ପ୍ଲେଟ ଲଗାଇବା ଉଚିତ। ଆଉ ଏହାର ଷ୍ଟାଇଲ୍‌ କି ସାଇଜ୍‌ ପରିବର୍ତ୍ତନ କରିବା ହେଉଛି ମୋଟର ଯାନ ନିୟମର ଉଲ୍ଲଂଘନ କରିବା। ଏଥିପାଇଁ ଏହାର ଅଲଗା ଚାଲାଣ କଟାଯାଉଛି। ଉଲ୍ଲଂଘନକାରୀଙ୍କ ମାନୁଆଲ ଚାଲାଣ କଟାଯାଉଥିବା ନେଇ ଏସ୍‌ପି ସୂଚନା ଦେଇଛନ୍ତି।

Share