ଗାଧୋଇବାକୁ ଯାଇ ଫେରିଲେନି ମହିଳା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ଅଭିଯୋଗ

ରଣପୁର,୩୧ା୭(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ସୁନାଖଳା ଫାଣ୍ଡି ଅନ୍ତର୍ଗତ ତାଳକଣି ଗ୍ରାମର ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଗାଁ ପୋଖରୀ ପାହାଚରୁ ବୁଧବାର ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ନାମ ପ୍ରଭାସିନୀ ବେହେରା(୪୨)। ସେ ଭୋର ପ୍ରାୟ ୪ଟାବେଳେ ଗାଧୋଇବାକୁ ଯାଇଥିବାବେଳେ ସଂଘବଦ୍ଧ ଭାବେ ଆକ୍ରମଣ କରି ତାଙ୍କୁ ହତ୍ୟା କରାଯାଇଥିବା ପ୍ରଭାସିନୀଙ୍କ ସ୍ବାମୀ ମାଗୁଣି ଥାନାରେ ଅଭିଯୋଗ କରିଛନ୍ତି। ମହିଳାଙ୍କର ମୃତଦେହକୁ ରଣପୁର ପୋଲିସ ଉଦ୍ଧାର କରି ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି।
ଏ ଘଟଣା ନେଇ ପୋଲିସ ୩୦୨, ୩୦୪ ଦଫାରେ କେସ୍‌ ନଂ.୧୫୯/୧୯ରେ ତଦନ୍ତ ଜାରି ରଖିଛି। ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ତାଳକଣି ଗ୍ରାମର ମାଗୁଣିଙ୍କ ସ୍ତ୍ରୀ ପ୍ରଭାସିନୀ(କୁନି) ପ୍ରତିଦିନ ଭଳି ଭୋରରେ ଗଁ। ପୋଖରୀ ବଧିବନ୍ଧକୁ ଗାଧୋଇବାକୁ ଯାଇଥିଲେ । ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ସେ ଘରକୁ ଫେରି ନ ଥିଲେ। ତେବେ ସକାଳ ୫ଟାରେ ତାଙ୍କର ମୃତଦେହ ପୋଖରୀ ନିକଟରେ ପଡ଼ିଥିବା ଖବର ପାଇ ମାଗୁଣି ପୋଖରୀ କୂଳରେ ପହଞ୍ଚତ୍ ପ୍ରଭାସିନୀଙ୍କ ମୃତଦେହ ଦେଖିଥିଲେ। ତାଙ୍କ ଶରୀରର ବେକ, ମୁଣ୍ଡ, କହୁଣୀ, ଅଣ୍ଟା, କାଖ ଆଦି ଅଙ୍ଗରେ କ୍ଷତ ଚିହ୍ନ ରହିଛି। ନାକ ଓ କାନରୁ ରକ୍ତସ୍ରାବ ହେବା ସହ ପିଠିରେ ଠେଙ୍ଗା ଚିହ୍ନ ମଧ୍ୟ ଦେଖିବାକୁ ମିଳିଛି। ଏକ ବାଲଟିରେ ଲୁଗା ଚିପୁଡ଼ା ହୋଇ ପୋଖରୀ ଉପର ପାହାଚରେ ରହିଛି। ଏଭଳି ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କରି ଗାଧୋଇ ସାରି ଘରକୁ ଫେରୁଥିବାବେଳେ ସଂଘବଦ୍ଧ ଭାବେ ଆକ୍ରମଣ କରି ତାଙ୍କୁ ହତ୍ୟା କରାଯାଇଛି ବୋଲି ସ୍ବାମୀ ଅଭିଯୋଗ କରିଛନ୍ତି। ଏ ନେଇ ସେ ଗ୍ରାମର ପବିତ୍ର ରଥଙ୍କ ପରିବାରକୁ ସନ୍ଦେହ ଘେର ମଧ୍ୟକୁ ଆଣିଛନ୍ତିି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ କୋର୍ଟରେ ମାମଲା ବିଚାରାଧୀନ ରହିଥିବା ମାଗୁଣି କହିଛନ୍ତି। ସଦାଶିବ ବେହେରା ଓ ମୁରଲି ବେହେରାଙ୍କ ପରିବାର ସହ ମଧ୍ୟ ବିବାଦ ଚାଲିଥିବା ମାଗୁଣି ପ୍ରକାଶ କରିଛନ୍ତି। ତେଣୁ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପ୍ରଭାସିନୀଙ୍କୁ ହତ୍ୟା କରାଯାଇଥିବା ନେଇ ମାଗୁଣି ଥାନାରେ ଅଭିଯୋଗ କରିଛନ୍ତି। ଏ ଘଟଣାରେ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି ରଣପୁର ଥାନା ଏସ୍‌ଆଇ ପ୍ରୀତିରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମହାନ୍ତି କହିଛନ୍ତି।

Share