ଡ. ପ୍ରଫୁଲ୍ଲ କୁମାର ସାହୁ
ଆଧୁନିକ ଭାରତର ସ୍ଥପତି ସର୍ଦ୍ଦାର ବଲ୍ଲଭଭାଇ ପଟେଲ। ଭାରତୀୟ ମୁକ୍ତି ସଂଗ୍ରାମର ପ୍ରମୁଖ ସ୍ତମ୍ଭ। ଗାନ୍ଧିଜୀଙ୍କ ପରି ସେ ବିଲାତ ଯାଇ ବାରିଷ୍ଟରି ପଢ଼ିଥିଲେ ଏବଂ ୧୯୧୩ରେ ଭାରତ ଫେରିଆସି ଅହମଦାବାଦରେ ଆରମ୍ଭ କରିଥିଲେ ଆଇନ ବ୍ୟବସାୟ। ନିଜର ନିଷ୍ଠା ଓ ଅଧ୍ୟବସାୟ ବଳରେ ସେ ବର୍ଷ କେଇଟା ମଧ୍ୟରେ ହାସଲ କରିପାରିଥିଲେ ଜଣେ ଦକ୍ଷ ଆଇଜ୍ଞର ପ୍ରତିଷ୍ଠା ଓ ପରିଚୟ। ୧୯୧୭ ମସିହାରେ ସେ ଅହମଦାବାଦ ପୌରସଂସ୍ଥାର ଜଣେ ନିର୍ବାଚିତ ପ୍ରତିନିଧି ଭାବରେ କାର୍ଯ୍ୟ କରିବା ଅବସରରେ ତାଙ୍କୁ ଖୁବ୍ ପ୍ରଭାବିତ କରିଥିଲା ମହାମତ୍ା ଗାନ୍ଧୀଙ୍କ ତେଜ, ବାଣୀ ଓ ଆଦର୍ଶ। ନାଗପୁରରେ ପତାକା ସତ୍ୟାଗ୍ରହ ଆନ୍ଦୋଳନ, ଅସହଯୋଗ ଆନ୍ଦୋଳନ, ଅହମଦାବାଦର ମିଲ୍ ଶ୍ରମିକଙ୍କ ସତ୍ୟାଗ୍ରହ, ଜାଲିଆନାୱାଲାବାଗର ନରସଂହାର ବିରୋଧରେ ଗାନ୍ଧିଜୀଙ୍କ ପ୍ରତିକ୍ରିୟା ଇତ୍ୟାଦି ବଲ୍ଲଭଭାଇଙ୍କ ବିଦ୍ରୋହୀ ମନକୁ ଏମିତି ଦୋହଲାଇ ଦେଲା ଯେ ସେ ସ୍ବତଃ ଜାତୀୟ କଂଗ୍ରେସରେ ଯୋଗଦେଲେ ଏବଂ ନିଜର ସାଂଗଠନିକ ଦକ୍ଷତା ବଳରେ ୧୯୨୦ରେ ମଣ୍ଡନ କଲେ ଗୁଜରାଟ କଂଗ୍ରେସ କମିଟିର ଅଧ୍ୟକ୍ଷ ଆସନ।
୧୯୩୨ରେ ମହାମତ୍ା ଗାନ୍ଧୀ ଜେଲରେ ଥିବା କାରଣରୁ ବଲ୍ଲଭଭାଇଙ୍କ ନେତୃତ୍ୱରେ ପରିଚାଳିତ ହେଲା ନାଗପୁର କଂଗ୍ରେସ ସତ୍ୟାଗ୍ରହ। ବର୍ଦ୍ଦୋଳିରେ ଇଂରେଜ ସରକାରଙ୍କ ବର୍ଦ୍ଧିତ ଭୂମିକା ବିରୋଧରେ ଗାନ୍ଧିଜୀଙ୍କ ଆନ୍ଦୋଳନର (୧୯୨୮) ପୁରୋଭାଗରେ ଥିଲେ ବଲ୍ଲଭଭାଇ ପଟେଲ। ଏହି ଆନ୍ଦୋଳନକୁ ସେ ଏଭଳି ପରିଚାଳନା କଲେ ଯେ ସେତେବେଳେ ଟାଇମ୍ସ ଅଫ୍ ଇଣ୍ଡିଆ ଖବରକାଗଜ ଲେଖିଥିଲା – ବର୍ଦ୍ଦୋଳିରେ ବର୍ତ୍ତମାନ ବଲ୍ସେଭିକ୍ ଆନ୍ଦୋଳନ ଚାଲିଛି ଓ ବଲ୍ଲଭଭାଇ ହେଉଛନ୍ତି ବର୍ଦ୍ଦୋଳି ଲୋକଙ୍କର ଲେଲିନ୍। ତାଙ୍କର ଦୃଢ଼ ନେତୃତ୍ୱ କାରଣରୁ କୃଷକ ଆନ୍ଦୋଳନକୁ ଦମନ କରି ନ ପାରି ମୁଣ୍ଡ ନୁଅଁାଇବାକୁ ବାଧ୍ୟହେଲେ ଇଂରେଜ ସରକାର। ବର୍ଦ୍ଦୋଳି ଆନ୍ଦୋଳନର ସଫଳତା ପରେ ତାଙ୍କ ନେତୃତ୍ୱର ପରାକାଷ୍ଠା ସମ୍ପର୍କରେ ସାରାଦେଶ ଜାଣିଲା ଏବଂ ତାଙ୍କର ଅନମନୀୟ ବ୍ୟକ୍ତିତ୍ୱ ପାଇଁ ତାଙ୍କୁ ସର୍ଦ୍ଦାର ବୋଲି ସମ୍ବୋଧନ କଲା ଦେଶ। ଏହି ସୂତ୍ରରେ ବଲ୍ଲବଭାଇ ଓ ଗାନ୍ଧିଜୀଙ୍କ ମଧ୍ୟରେ ବିଶ୍ୱାସ ଓ ବନ୍ଧୁତାର ଏକ ନିବିଡ଼ ସମ୍ପର୍କ ସ୍ଥାପିତ ହେଲା, ଯାହା ଭାରତୀୟ ମୁକ୍ତି ସଂଗ୍ରାମ ଇତିହାସକୁ ଦେଇଥିଲା ନୂଆ ମୋଡ଼।
କର୍ମ ହିଁ ଥିଲା ସର୍ଦ୍ଦାର ପଟେଲଙ୍କ ଜୀବନର ମୂଳମନ୍ତ୍ର। ତାଙ୍କ କର୍ମଯୋଗରେ ନ ଥିଲା ବିଳାସ ଓ ବିଶ୍ରାମର ସ୍ଥାନ। ଯେଉଁ କାର୍ଯ୍ୟ ଦ୍ୱାରା ଦେଶବାସୀଙ୍କର ମଙ୍ଗଳ ହେବ ବୋଲି ସେ ଭାବୁଥିଲେ, ତାହା କରିବାକୁ ସେ ପଛାଉ ନ ଥିଲେ ହଜାରେ ବିରୋଧ ସତ୍ତ୍ୱେ। କର୍ମକ୍ଷେତ୍ରରେ ଏହି ଦୃଢ଼ତା ପାଇଁ ଲୋକେ ତାଙ୍କୁ କହୁଥିଲେ ଲୌହମାନବ। ବାହାରକୁ ଅତ୍ୟନ୍ତ ରୁକ୍ଷ ଓ ଅନମନୀୟ ବୋଲି ମନେହେଲେ ବି ତାଙ୍କ ଭିତରେ ଥିଲା ଏକ ସ୍ନେହସିକ୍ତ କୋମଳ ହୃଦୟ। ଗାନ୍ଧିଜୀଙ୍କ ଭାଷାରେ ସର୍ଦ୍ଦାରଙ୍କ ଅଜେୟ ନିର୍ଭୀକତା ଏବଂ ଦେଶପ୍ରତି ଅଖଣ୍ଡ ଶ୍ରଦ୍ଧା କଥା ମୁଁ ଆଗରୁ ଜାଣିଥିଲି, କିନ୍ତୁ ଦୀର୍ଘ ଷୋହଳ ମାସ କାଳ ତାଙ୍କ ସହ ବନ୍ଦୀ ଜୀବନ ବିତାଇବା ପରେ ଜାଣିଲି ତାଙ୍କ ଶ୍ରଦ୍ଧା ଓ ଆମତ୍ୀୟତାର ଚେର କେତେ ଗଭୀର।
ସର୍ଦ୍ଦାର ପଟେଲ ଥିଲେ ଗାନ୍ଧିଜୀଙ୍କର ଜଣେ ପଟଶିଷ୍ୟ। ସେ ଜାଣିଥିଲେ ଗାନ୍ଧିଜୀ ହିଁ ଭାରତୀୟ ମୁକ୍ତି ସଂଗ୍ରାମର ସେନାପତି ଏବଂ ତାଙ୍କ ପ୍ରଦର୍ଶିତ ପନ୍ଥା ହିଁ ସ୍ବାଧୀନତା ପ୍ରାପ୍ତି ଦିଗରେ ଏକମାତ୍ର ଧ୍ୟେୟ। ତେଣୁ ଗାନ୍ଧିଜୀଙ୍କ ଆଦେଶ ଥିଲା ତାଙ୍କ ପାଇଁ ଈଶ୍ୱରଙ୍କ ବାଣୀ। ୧୯୪୨ରେ ବମ୍ବେ କଂଗ୍ରେସ ସମ୍ମିଳନୀରେ ଗାନ୍ଧିଜୀ ଆଗତ କରିଥିବା ଭାରତଛାଡ଼ ଆନ୍ଦୋଳନ ପ୍ରସ୍ତାବକୁ ଯେତେବେଳେ ଜବାହରଲାଲ ନେହେରୁ, ରାଜ ଗୋପାଳଚାରୀ ଓ ମୌଲାନା ଆଜାଦ୍ ପ୍ରମୁଖ ବିରୋଧ କଲେ, ସେତେବେଳେ ଗାନ୍ଧିଜୀଙ୍କୁ ଦୃଢ଼ ସମର୍ଥନ କରି ସର୍ଦ୍ଦାର ପଟେଲ କହିଥିଲେ – ”ସ୍ବରାଜ୍ୟ ପାଇଁ କଂଗ୍ରେସ ଦୀର୍ଘବର୍ଷ ଧରି ଯେଉଁ ସଂଗ୍ରାମ କରି ଆସୁଅଛି, ଭାରତଛାଡ଼ ଆନ୍ଦୋଳନ ତା’ର ନିଷ୍କର୍ଷ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବର୍ତ୍ତମାନ ହିଁ ସବୁଠାରୁ ଉତ୍କୃଷ୍ଟ ସମୟ। ପଟେଲ୍ଙ୍କ ଏଭଳି ଅକାଟ୍ୟ ଯୁକ୍ତି ପରେ ବଦଳିଥିଲା ନେହେରୁ, ରାଜଗୋପାଳଚାରୀ ଓ ମୌଲାନା ଆଜାଦ୍ ତଥା ଅନ୍ୟ ଅନେକ ନେତାଙ୍କ ମତ।
ଆଇନ ବ୍ୟବସାୟ ହେଉ କି ରାଜନୀତି ହେଉ, ନିର୍ଭୁଲ ଭାବେ କାର୍ଯ୍ୟ ସମ୍ପାଦନ କରିବା ଥିଲା ପଟେଲଙ୍କ ବ୍ୟକ୍ତିତ୍ୱର ଏକ ବିଶେଷତ୍ୱ। ଜଣେ ସଚ୍ଚା ଦେଶଭକ୍ତ ଭାବରେ ତାଙ୍କୁ କେବେ ପଥଭ୍ରଷ୍ଟ କରି ନ ଥିଲା ପଦ ପଦବୀର ମୋହ। ସାରା ଜୀବନ ନିଜକୁ ଜଣେ କୃଷକ ଓ କଂଗ୍ରେସକର୍ମୀ ବୋଲି ଭାବୁଥିବାରୁ ତାଙ୍କ ରାଷ୍ଟ୍ରଭକ୍ତିର ପଥ କେବେ ଓଗାଳି ପାରି ନ ଥିଲା ବ୍ୟକ୍ତିିଗତ ଅହଂ ଓ ରାଜନୈତିକ ମତାନ୍ତର। ୧୯୪୬ ମସିହାରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ବେଳେ ୧୨ଟି ପ୍ରଦେଶର କଂଗ୍ରେସ କମିଟି ତାଙ୍କୁ ସମର୍ଥନ କରିଥିବା ବେଳେ ନେହେରୁଙ୍କ ସପକ୍ଷରେ ଥିଲା ମାତ୍ର ୩ଟି ପ୍ରଦେଶ କଂଗ୍ରେସ କମିଟିର ସମର୍ଥନ। ଅଥଚ ଗାନ୍ଧିଜୀଙ୍କ ପରାମର୍ଶ ମାନି ନେହେରୁଙ୍କୁ ସେ ରାସ୍ତା ଛାଡ଼ିଦେଇଥିଲେ ବିନା ପ୍ରତିବାଦରେ। ସର୍ଦ୍ଦାର ପଟେଲ ପ୍ରଧାନମନ୍ତ୍ରୀ ହୋଇପାରି ନ ଥିଲେ ସତ, କିନ୍ତୁ ଆଧୁନିକ ଭାରତବର୍ଷର ସ୍ଥପତି ଭାବରେ ସେ ସ୍ଥାନ ପାଇଛନ୍ତି କୋଟିକୋଟି ଭାରତୀୟଙ୍କ ହୃଦୟରେ।
ସ୍ବାଧୀନତାର ବ୍ରାହ୍ମ ମୁହୂର୍ତ୍ତ ଥିଲା ଦେଶପାଇଁ ସବୁଠାରୁ ଅଶାନ୍ତ କାଳ। ସାଂପ୍ରଦାୟିକ ସଂଘର୍ଷକୁ ନେଇ ସେତେବେଳେ ଉଭୟ ଭାରତ ଓ ପାକିସ୍ତାନରୁ ଛୁଟିଥିଲା ଶରଣାର୍ଥୀଙ୍କ ସୁଅ। ଏହି ସଙ୍କଟମୟ ସ୍ଥିତିରେ ପଟେଲ ଯେଉଁ ରାଜନୈତିକ ବିଚକ୍ଷଣତା ଓ ପ୍ରଶାସନିକ ବିଜ୍ଞତାର ପରିଚୟ ଦେଇଛନ୍ତି, ତାହା କେବେ ବି ଭୁଲିପାରିବ ନାହିଁ ଏ ଦେଶ। ଭାରତୀୟ ପ୍ରଶାସନିକ ସେବା ସମୂହର ସେ ଥିଲେ ମୁଖ୍ୟ ବିନ୍ଧାଣି। ଦେଶୀୟ ରାଜ୍ୟଗୁଡ଼ିକର ଭାରତ ସହ ମିଶ୍ରଣ ତଥା ଏକ ଦୃଢ଼ ଓ ଏକୀଭୂତ ସାର୍ବଭୌମ ଭାରତ ଗଠନ ଥିଲା ଏ ଜାତି ପ୍ରତି ସର୍ଦ୍ଦାର ପଟେଲଙ୍କର ସର୍ବଶ୍ରେଷ୍ଠ ଅବଦାନ।
ବାସ୍ତବରେ ସ୍ବାଧୀନ ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ସର୍ଦ୍ଦାର ପଟେଲ ଯେଉଁ ବିଚକ୍ଷଣ ଦୂରଦୃଷ୍ଟି ଓ କୌଶଳପୂର୍ଣ୍ଣ ପଦକ୍ଷେପ ବଳରେ ୫୬୫ଟି ବିକ୍ଷିପ୍ତ ଗଡ଼ଜାତକୁ ଭାରତ ସହ ମିଶେଇ ପାରିଥିଲେ, ତାହା ଅବିସ୍ମରଣୀୟ। ୧୯୨୧ରେ ଅହମଦାବାଦ ପୌରପାଳିକାରେ ପ୍ରଶାସକ ଭାବରେ ସେ ସହରର ସ୍ବଚ୍ଛତା ତଥା ଡ୍ରେନେଜ ବ୍ୟବସ୍ଥାକୁ ଯେଭଳି ସୁନିଶ୍ଚିତ କରିପାରିଥିଲେ, ତାହା ଥିଲା ତାଙ୍କ ଦୂରଦୃଷ୍ଟି ଓ ସେବା ମନୋଭାବର ନମୁନା। ଆଜି ଯେଉଁ ଉଜ୍ଜ୍ୱଳ ସମବାୟ କ୍ଷେତ୍ରକୁ ନେଇ ଗର୍ବ ଅନୁଭବ କରୁଛି ଦେଶ ତା’ର ମୂଳଦୁଆ ପକାଇଥିଲେ ସର୍ଦ୍ଦାର ପଟେଲ। ସ୍ଥାନୀୟ ଲୋକ, ବିଶେଷ କରି ମହିଳାମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ସେ ଗଢ଼ିଥିଲେ ‘ଅମୁଲ’ ଭଳି ଏକ ସମବାୟ ସଂସ୍ଥା। ନୀତିଗତ ନିଷ୍ପତ୍ତି କ୍ଷେତ୍ରରେ ପଣ୍ଡିତ ନେହେରୁଙ୍କ ସହ ତାଙ୍କର ବେଳେ ବେଳେ ମତପାର୍ଥକ୍ୟ ହେଉଥିଲେ ବି ଦେଶ ଗଠନ ଦିଗରେ ଉଭୟ ନେତା ଥିଲେ ପରସ୍ପରର ସହାୟକ ଓ ପରିପୂରକ। ନେହେରୁଙ୍କ ଭାଷାରେ- ସର୍ଦ୍ଦାର ପଟେଲ ଥିଲେ ଆଧୁନିକ ଭାରତ ବର୍ଷର ମାନଚିତ୍ରକୁ ବଦଳେଇ ଦେଇପାରିଥିବା ଜଣେ ଯଥାର୍ଥ ବୀର। ବାସ୍ତବରେ ଲୌହମାନବଙ୍କ ହୃଦୟର ଏହି ବିଶାଳତା ତାଙ୍କୁ ନେଇ ପହଞ୍ଚାଇ ଦେଇଛି ଆଖି ନପାଇଲା ଭଳି ଆଚମ୍ବିତ ଉଚ୍ଚତାରେ। ଦେଶପ୍ରତି ସର୍ଦ୍ଦାର ପଟେଲଙ୍କ ଅବଦାନକୁ ସମ୍ମାନ ଜଣାଇ ଗୁଜୁରାଟର କେଭାଡ଼ିଆ ଠାରେ ନିର୍ମିତ ହୋଇଛି ତାଙ୍କର ଏକ ସୁଉଚ୍ଚ ପ୍ରତିମୂର୍ତ୍ତି। ଏକତାର ତୀର୍ଥ ଭାବରେ ପରିଚିତ ଏହି ପ୍ରତିମା ହେଉଛି ପଟେଲଙ୍କ ପ୍ରତିଜ୍ଞା, ପ୍ରତିଭା ଓ ପୁରୁଷାର୍ଥର ପ୍ରତୀକ।
ଅବସରପ୍ରାପ୍ତ ଅଧ୍ୟକ୍ଷ
ବିଜୁପଟ୍ଟନାୟକ ନଗର, ଭଦ୍ରକ
ମୋ: ୬୩୭୧୬୪୨୪୬୪