Categories: ଜାତୀୟ

ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଦେଲେ

ହଜାରିବାଗ୍‌, ୧୦ା୨: ଝାଡ଼ଖଣ୍ଡର ହଜାରିବାଗ୍‌ରେ ଦୁର୍ବୃତ୍ତମାନେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଛନ୍ତି। ଓ୍ବାର୍ଡ ନଂ. ୨୪ର କୁମ୍‌ହାର ଟୋଲିରେ ନିର୍ମିତ ଏହି ପ୍ରତିମୂର୍ତ୍ତିରେ ଗାନ୍ଧିଜୀ ବାଡ଼ି ଧରିଥିବା ଡାହାଣ ହାତଟି ଶରୀରରୁ ସମ୍ପୂର୍ଣ୍ଣ ଅଲଗା ହୋଇଯାଇଛି। ଏଥିସହ ୨ ଗୋଡ଼ ଭାଙ୍ଗି ପ୍ରତିମୂର୍ତ୍ତିଟି ଭୂମିରେ ପଡ଼ିରହିଛି। ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ହଜାରିବାଗ୍‌ର କଟ୍‌କମ୍‌ଡଗ୍‌ ଥାନା ଅଧିକାରୀ ଗୌତମ୍‌ କୁମାର ପ୍ରକାଶ କରିଛନ୍ତି। ରବିବାର ଘଟଣାସ୍ଥଳକୁ ଯାଇ ପୋଲିସ ସମୀକ୍ଷା କରିଥିବା ସେ କହିଛନ୍ତି। ପ୍ରକାଶଥାଉ କି, ଗତ ୧୫ ବର୍ଷ ମଧ୍ୟରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବାର ଏହା ଦ୍ୱିତୀୟ ଘଟଣା। ମହାତ୍ମା ଗାନ୍ଧୀ ସ୍ମାରକ ବିକାଶ ନ୍ୟାସର ଅଧ୍ୟକ୍ଷ ମନୋଜ ବର୍ମା ଏହି ପ୍ରତିମୂର୍ତ୍ତି ଭଙ୍ଗା ପଛରେ ଜମି ମାଫିଆଙ୍କ ହାତ ଥିବା ଅଭିଯୋଗ କରିଛନ୍ତି। ପୋଲିସ କାହାକୁ ଗିରଫ କରି ନ ଥିବାବେଳେ ତଦନ୍ତ ଜାରିରହିଛି।

Share