ଗାନ୍ଧିଜୀଙ୍କ ଶହୀଦ ଦିବସରେ କବିତା ପାଠୋତ୍ସବ

ବାଲେଶ୍ୱର ଅଫିସ, ୩୧।୧-ମହାତ୍ମା ଗାନ୍ଧୀଙ୍କ ୭୨ତମ ଶହୀଦ ଦିବସ ଗୁରୁବାର ପାଳିତ ହୋଇଯାଇଛି। ଏହି ଅବସରରେ ବାଲେଶ୍ୱର ସିନେମାଛକସ୍ଥିତ ଶହୀଦ ପାର୍କସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଜିଲା ପ୍ରଶାସନ ତରଫରୁ ମାଲ୍ୟାର୍ପଣ କରାଯାଇଥିଲା। ପରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଏକ ସ୍ମୃତିସଭା ଆୟୋଜନ କରାଯାଇଥିଲା। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସ୍ମୃତି ସଭା ଓ କବିତା ପାଠୋତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକ, ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ରାମଚନ୍ଦ୍ର ଜେନା, ଉପଜିଲାପାଳ ନିଲୁ ମହାପାତ୍ର, ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଶିରିଶ ଚନ୍ଦ୍ର ଜେନା ପ୍ରମୁଖ ମଞ୍ଚାସୀନ ହୋଇ ଗାନ୍ଧୀଙ୍କ ଅହିଂସା ମାର୍ଗ ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ।
ବୈଠକ ପ୍ରାରମ୍ଭରେ ଗାନ୍ଧିଜୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ୨ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ଗାନ୍ଧିଜୀଙ୍କ ପ୍ରିୟ ଭଜନ ବୈଷ୍ଣୋବ ଜନତୋ ପରିବେଷଣ କରାଯାଇଥିଲା। ଏହି ଅବସରରେ କବି ପ୍ରଶାନ୍ତ ଦାସ, ପ୍ରାଧ୍ୟାପକ ଡ. ପ୍ରହ୍ଲାଦ ଚରଣ ମହାନ୍ତି, ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ, ହରିଶ ଚନ୍ଦ୍ର ବେହେରା, ପ୍ରାଧ୍ୟାପକ ଶତ୍ରୁଘ୍ନ ମଲ୍ଲିକ ପ୍ରମୁଖ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଏହି କବିତା ପାଠୋତ୍ସବରେ ଶତାଧିକ ସାହିତି୍ୟକ, ଲେଖକ, କବି ଯୋଗଦାନ କରିଥିବା ବେଳେ ଗାନ୍ଧୀଙ୍କ ସତ୍ୟ, ଅହିଂସା ଓ ଗାନ୍ଧୀବାଦ ଉପରେ ପର୍ଯ୍ୟବସିତ ୪୫ ଗୋଟି ସ୍ବରଚିତ କବିତା କବିମାନେ ଆବୃତ୍ତି କରିଥିଲେ। ଏହି କବିତା ପାଠୋତ୍ସବକୁ ସ୍ଥାନୀୟ ଅନୁଷ୍ଠାନ ଫକୀରମୋହନ ସାହିତ୍ୟ ପରିଷଦର ମିଳିତ ସହଯୋଗରେ ଆୟୋଜନ କରାଯାଇଥିଲା। ଏଥିରେ ପରିଷଦର ସଦସ୍ୟାସଦସ୍ୟମାନେ ସହଯୋଗ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ସଂସ୍କୃତି ଅଧିକାରୀ ମନସ୍ବିନୀ ରାଉତ ଏବଂ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁବାସ ନିଆଲ ପରିଚାଳନା କରିଥିଲେ।