ଗାନ୍ଧିଜୀଙ୍କ ହତ୍ୟା ତଥ୍ୟ ପିଲାଙ୍କୁ ଲୁଚା ନ ଯାଉ

ଭୁବନେଶ୍ୱର, ୧୪ା୧୧(ବ୍ୟୁରୋ): ରାଜ୍ୟର ସମସ୍ତ ସ୍କୁଲରେ ପିଲାଙ୍କୁ ଦିଆଯାଇଥିବା ଦୁଇ ପୃଷ୍ଠାର ଏକ ଲିଫ୍‌ଲେଟରେ ଗାନ୍ଧିଜୀଙ୍କ ବର୍ବର ହତ୍ୟାକୁ ଉଲ୍ଲେଖ ନ କରି ମିଥ୍ୟା ତଥ୍ୟ ଦିଆଯାଇଛି। ଗାନ୍ଧିଜୀଙ୍କୁ ନାଥୁରାମ ଗଡ୍‌ସେ ପ୍ରାର୍ଥନା ସଭାରେ ଗୁଳିକରି ହତ୍ୟା କରିଥିବା ଇତିହାସରେ ଲିଖିତ ଅଛି। କିନ୍ତୁ ଗଣଶିକ୍ଷା ବିଭାଗ ପକ୍ଷରୁ ‘ଆମ ବାପୁଜୀ ଏକ ଝଲକ’ ଶିରୋନାମାରେ ଯେଉଁ ପ୍ରଚାରପତ୍ର ବଣ୍ଟାଯାଇଛି ସେଥିରେ ଏକ ଆକସ୍ମିକ ଘଟଣାରେ ଗାନ୍ଧିଜୀଙ୍କ ଦେହାବସାନ ହୋଇଛି ବୋଲି ଉଲ୍ଲେଖ କରାଯାଇଛି। ଅର୍ଥାତ୍‌ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିବା କଥାକୁ ସ୍କୁଲ ପିଲାଙ୍କ ପାଖରେ ଲୁଚାଯାଇଛି। ହତ୍ୟାର ଠିକ୍‌ ତଥ୍ୟ ଦେବା ସହ ଭୁଲ୍‌ର ସଂଶୋଧନ କରି ପୁନଃ ପିଲାଙ୍କୁ ଏ ସଂକ୍ରାନ୍ତରେ ଅବଗତ କରାଯିବା ଓ ଏପରି ଭୁଲ୍‌ କରିଥିବା ଦୋଷୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲୋହିଆ ଏକାଡେମୀ ଓ ରାଷ୍ଟ୍ରୀୟ ଯୁବା ସଙ୍ଗଠନ ଦାବି କରିଛି।
ବୁଧବାର ଲୋହିଆ ଏକାଡେମୀରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏକାଡ଼େମୀର ସମ୍ପାଦକ ଦେବ ପ୍ରସାଦ ରାୟ, ପ୍ରଫୁଲ୍ଲ ସାମନ୍ତରା, ରାଷ୍ଟ୍ରୀୟ ଯୁବା ସଙ୍ଗଠନର ଡା. ବିଶ୍ୱଜିତ ରାୟ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ମନୋରଞ୍ଜନ ମହାନ୍ତି ଏ ସଂକ୍ରାନ୍ତରେ ଅଭିଯୋଗ ଉଠାଇଛନ୍ତି। ସେମାନେ କହିଛନ୍ତି, ଗାନ୍ଧିଜୀଙ୍କ ହତ୍ୟାର କାରଣ ଓ ହତ୍ୟାକାରୀର ନାମ ପିଲାମାନେ ଜାଣିବା ଅତି ଆବଶ୍ୟକ। ଯେଉଁ ଅଧିକାରୀ ଏହି ଲେଖା ଦାୟିତ୍ୱରେ ଥିଲେ ସେମାନେ ଏନେଇ ଉତ୍ତର ରଖନ୍ତୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି ପଦକ୍ଷେପ ନିଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି।

Share