Categories: ଜାତୀୟ

‘ଗାନ୍ଧିଜୀ ଆତ୍ମହତ୍ୟା କଲେ କେମିତି’

ଅହମ୍ମଦାବାଦ, ୧୪ା୧୦: ଗୁଜରାଟରେ ନବମ ଏବଂ ଦ୍ୱାଦଶ ଶ୍ରେଣୀ ସ୍କୁଲ୍‌ ଇଣ୍ଟରନାଲ୍‌ ପରୀକ୍ଷାରେ ଆସିଥିବା ୨ଟି ପ୍ରଶ୍ନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗାନ୍ଧିଜୀ କିପରି ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ୯ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଇଁ ଗୁଜରାଟୀ ଭାଷାରେ ଏଭଳି ଏକ ଆପତ୍ତିଜନକ ପ୍ରଶ୍ନ ଆସଥିଲା। ଅନ୍ୟପକ୍ଷରେ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ‘ତୁମ ଅଞ୍ଚଳରେ ମଦ ବିକ୍ରି ବୃଦ୍ଧି ଏବଂ ଚୋରା ମଦ ବ୍ୟବସାୟୀମାନଙ୍କ ବିଶୃଙ୍ଖଳା ସମ୍ପର୍କରେ ଜିଲା ପୋଲିସ ମୁଖ୍ୟଙ୍କୁ ଅଭିଯୋଗପତ୍ର ଲେଖ’ ନେଇ ଅନ୍ୟ ଏକ ପ୍ରଶ୍ନ ଆସିଥିଲା। ଏହା ବୁଦ୍ଧିଜୀବୀ ଏବଂ ଶିକ୍ଷାବିତ୍‌ଙ୍କ ମନକୁ ଆନ୍ଦୋଳିତ କରିଛି। ଅନ୍ୟପକ୍ଷରେ ଏଭଳି ଆପତ୍ତିଜନକ ପ୍ରଶ୍ନକୁ ନେଇ ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, କେତେକ ବ୍ଲକ୍‌ ଗ୍ରାଣ୍ଟପ୍ରାପ୍ତ ଏବଂ ସେଲ୍ଫ ଫାଇନାନ୍ସ ସ୍କୁଲଗୁଡ଼ିକୁ ନେଇ ଗାନ୍ଧୀନଗରସ୍ଥିତ ‘ସୁଫଲମ୍‌ ଶାଲା ବିକାଶ ସଙ୍କୁଲ୍‌’ ସଙ୍ଗଠନ ଗଠିତ। ଏହି ସଂଗଠନ ଅଧୀନରେ ଚାଲିଥିବା ସ୍କୁଲର ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଏହି ୨ ପ୍ରଶ୍ନ ପିଲାଙ୍କ ପାଇଁ ପ୍ରସ୍ତୁତ ହୋଇଥିଲା, ଏଥିରେ ରାଜ୍ୟ ଶିକ୍ଷା ବିଭାଗର କୌଣସି ସମ୍ପୃକ୍ତି ନ ଥିବା ଗାନ୍ଧୀନଗର ଡିଇଓ ଭାରତ ବଧେର୍‌ ସୂଚନା ଦେଇଛନ୍ତି। ଏ ବିଷୟକୁ ନେଇ ତଦନ୍ତ ଆରମ୍ଭ ହୋଇଥିବାବେଳେ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Share