ଗାନ୍ଧିଜୀ ଓ ମଦମୁକ୍ତ ସମାଜର ସ୍ବପ୍ନ

ଡ. ପ୍ରଫୁଲ୍ଲ କୁମାର ସାହୁ

ମହାତ୍ମା ଗାନ୍ଧୀ କେବଳ ଭାରତୀୟ ମୁକ୍ତି ସଂଗ୍ରାମର ମହାନାୟକ ନୁହନ୍ତି, ଅଧିକନ୍ତୁ ସେ ଥିଲେ ଜଣେ ଶ୍ରେଷ୍ଠ ସଂସ୍କାରକ ଓ ଦିଗ୍‌ଦର୍ଶକ। ଜାତୀୟ ଜୀବନରେ ସ୍ବଚ୍ଛତା ଆଣିବା ପାଇଁ ନିଶାମୁକ୍ତ ଭାରତବର୍ଷ ଗଠନ ଥିଲା ତାଙ୍କର ସ୍ବପ୍ନ। ସେଥିପାଇଁ ତାଙ୍କ ଅଠରଦଫା ରଚନାମତ୍କ କାର୍ଯ୍ୟକ୍ରମରେ ଅଗ୍ରାଧିକାର ଲାଭ କରିଥିଲା ନିଶା ନିବାରଣ। ଯେଉଁ ଗାନ୍ଧିଜୀ ନିଶା ନିବାରଣ ପାଇଁ ଦେଶରେ ଏତେବଡ଼ ଆନ୍ଦୋଳନ କଲେ, ସ୍ବାଧୀନତା ପରେ ତାଙ୍କରି ନାମ ଉଚ୍ଚାରଣ କରି କ୍ଷମତାର ଡୋରି ଧରିଥିବା ନେତାମାନଙ୍କ ସ୍ବାର୍ଥପରତା ପାଇଁ ନିଶା ନିବାରଣ ଆଇନ ଶୀତଳ ଭଣ୍ଡାରକୁ ଯିବା ସହିତ ଏକ ଭୋଟ୍‌କିଣା ତନ୍ତ୍ରରେ ପରିଣତ ହୋଇଗଲା ଆମ ଗଣତନ୍ତ୍ର। କେବଳ ଅର୍ଥ ନୁହେଁ, ଲୋକଙ୍କୁ ମଦ ପିଆଇ ହାସଲ କରାଗଲା ଭୋଟ୍‌। ତେଣୁ ରାଜନୈତିକ ଦଳଗୁଡ଼ିକର ନିର୍ବାଚନ ଇସ୍ତାହାରରେ ଆଉ ସ୍ଥାନ ପାଇଲାନାହିଁ ନିଶା ନିବାରଣ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଅର୍ଥାତ୍‌ ଆମ ଗଣତନ୍ତ୍ର ଯେତେ ପରିପକ୍ୱ ହେଲା, ସେତେ ପ୍ରାସଙ୍ଗିକତା ହରେଇ ବସିଲା ଗାନ୍ଧୀ ବିଚାର। ଏକଦା ମଦକୁ ଏକ ଅଭିଶପ୍ତ ପାନୀୟ ଭାବୁଥିଲେ ଓଡ଼ିଶାର ଲୋକେ। ମହାଭାରତର ଆଖ୍ୟାନ ଅନୁସାରେ ଦାନବ ଗୁରୁ ଶୁକ୍ରାଚାର୍ଯ୍ୟ ମଦ୍ୟପାନଜନିତ ମସ୍ତବଡ଼ ଭୁଲ୍‌ କରିଥିବାରୁ ନିଜକୁ ଧିକ୍କାର କରିବା ସହିତ ମଦକୁ ଅଭିଶାପ ଦେଇ କହିଥିଲେ ଯିଏ ମଦ ପିଇବ, ସମାଜ ଆଖିରେ ସେ ହେବ ଏକ ନିନ୍ଦିତ ପ୍ରାଣୀ। ବାସ୍ତବରେ ସ୍ବାଧୀନତା ପ୍ରାପ୍ତିର କେଇ ଦଶନ୍ଧି ପର୍ଯ୍ୟନ୍ତ ଆମ ରାଜ୍ୟରେ ମୁଷ୍ଟିମେୟ ସଂଭ୍ରାନ୍ତ ବ୍ୟକ୍ତି, ଧନୀ ବ୍ୟବସାୟୀ, ବଡ଼ ବଡ଼ ଅଫିସର ଓ ଅପରାଧୀଙ୍କୁ ବାଦ୍‌ ଦେଲେ ମଦର ପ୍ରସାର ନ ଥିଲା କହିଲେ ଚଳେ। ଏପରି କି କେହି ମଦ ପିଉଛି ବୋଲି ଜଣାପଡ଼ିଲେ ଲୋକଟା ବରବାଦ୍‌ ହୋଇଗଲା ବୋଲି କହି ସମାଜ ତାକୁ ଘୃଣା କରୁଥିଲା ଏବଂ ଏହି କାରଣରୁ କିଛି ଲୋକଙ୍କୁ ବାହାହେବା ପାଇଁ କନିଆଁ ମିଳୁ ନ ଥିଲା ସେତେବେଳେ। ଲୋକେ ମଦ ପିଉ ନ ଥିଲେ ସତ; କିନ୍ତୁ ପାନ, ଗୁଡ଼ାଖୁ, ବିଡ଼ି, ତାଡ଼ି, ଭାଙ୍ଗ, ଗଞ୍ଜେଇ ଆଦି ନିଶା ପ୍ରତି ଆସକ୍ତ ଥିଲେ, ଯାହାକୁ ଆମ ଦାରିଦ୍ର୍ୟର ଏକ ପ୍ରମୁଖ କାରଣ ବୋଲି ଚିହ୍ନଟ କରିଥିଲେ ଗାନ୍ଧିଜୀ। ତାହାକୁ ଦୃଷ୍ଟିରେ ରଖି ୧୯୫୬ ମସିହାରେ ଆମ ରାଜ୍ୟର ତକତ୍ାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ସମୟରେ ପ୍ରଣୟନ ହୋଇଥିଲା ନିଶା ନିବାରଣ ଆଇନ। ମାତ୍ର ସେ ଆଇନକୁ କାର୍ଯ୍ୟକାରୀ କରିବାକୁ ଦିଆଗଲା ନାହିଁ ପରବର୍ତ୍ତୀ ସମୟରେ। ଗାନ୍ଧିଜୀ କହୁଥିଲେ, ଦେଶ ସ୍ବାଧୀନ ହେବାର ୨୪ଘଣ୍ଟା ମଧ୍ୟରେ ନିଶା ନିବାରଣ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ମାତ୍ର ସ୍ବାଧୀନତାର ୭୦ବର୍ଷ ପରେ ଓଡ଼ିଶା ଭଳି ଏକ ସଂସ୍କୃତିସମ୍ପନ୍ନ ରାଜ୍ୟର ଯୁବକଠାରୁ ବୁଢ଼ା ଯାଏ ଅନେକଙ୍କ ହାତରେ ଏବେ ମଦବୋତଲ।
ଲୋକଙ୍କୁ ସ୍ବାବଲମ୍ବନଶୀଳ କରିବା ପାଇଁ ଗାନ୍ଧିଜୀ ଚାହୁଁଥିଲେ କୁଟୀରଶିଳ୍ପର ବିକାଶ। ଅର୍ଥାତ୍‌ ସମସ୍ତଙ୍କ ହାତକୁ କାମ ଯୋଗାଇବା ଥିଲା ଗାନ୍ଧୀ ଅର୍ଥନୀତିର ମୂଳକଥା। ମାତ୍ର ଗାନ୍ଧୀ ଅର୍ଥନୀତିକୁ ଅବଜ୍ଞା କରି ରାଜ୍ୟରେ ଏବେ କାର୍ଯ୍ୟକାରୀ ହେଉଛି ଭଳିକି ଭଳି ମାଗଣାଖିଆ ଯୋଜନା। ଜାତୀୟ ଜୀବନରେ ସ୍ବଚ୍ଛତା ଆଣିବା ପାଇଁ ଗାନ୍ଧିଜୀ ଚାହୁଁଥିଲେ ସମ୍ପୂର୍ଣ୍ଣ ନିଶା ନିବାରଣ। ମାତ୍ର ରାଜସ୍ବ ଆୟ ବଢ଼େଇବା ଲକ୍ଷ୍ୟରେ ବିଶ୍ୱବିଖ୍ୟାତ ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜାଙ୍କ ଗୁରୁତ୍ୱପୂର୍ଣ୍ଣ ସୁପାରିସ (୧୯୬୨)କୁ ଉପେକ୍ଷା କରି ମଦର ବ୍ୟାପକ ପ୍ରସାରକୁ ଏକ ଅପରିହାର୍ଯ୍ୟ ଆବଶ୍ୟକତା ଭାବରେ ଗ୍ରହଣ କରିନେଇଛନ୍ତି ରାଜ୍ୟ ସରକାର। ତେଣୁ ପରିବର୍ତ୍ତିତ ଅବକାରୀ ଆଇନ ଅନୁସାରେ କେବଳ ସହରାଞ୍ଚଳ ନୁହେଁ, ଗ୍ରାମାଞ୍ଚଳରେ ବି ଖୋଲିଲାଣି ପର୍ଯ୍ୟାପ୍ତ ମଦ ଦୋକାନ। ଏଥିସହିତ ନିର୍ଦ୍ଦିଷ୍ଟ ପରିମାଣର ମଦ ବିକିବା ପାଇଁ ଦୋକାନୀକୁ ଚୁକ୍ତିବଦ୍ଧ କରାଯାଉଛି ଏବଂ ଅଗ୍ରଣୀ ବିକ୍ରେତାଙ୍କ ପାଇଁ ରଖାଯାଇଛି ପୁରସ୍କାର ବ୍ୟବସ୍ଥା। ଏଥିରେ ଉତ୍ସାହିତ ହୋଇ ସ୍ବୀକୃତିପ୍ରାପ୍ତ ଦୋକାନୀମାନେ ସାହିବସ୍ତିରେ ଥିବା ଛୋଟ ଛୋଟ ପାନ ଓ ତେଜରାତି ଦୋକାନର ସହାୟତା ଲୋଡୁଛନ୍ତି, ଯାହାଫଳରେ ଗଳିକନ୍ଦିର ଅଧିକାଂଶ ଦୋକାନରେ ଏବେ ଉପଲବ୍ଧ ହେଉଛି ମଦ। ମଦର ବ୍ୟାପକ ପ୍ରସାର ଯୋଗୁ ବଢୁଥିବା ରାଜସ୍ବ ଆୟକୁ ନେଇ ସରକାର ଉଲ୍ଲସିତ ହେବା ସହିତ ଘୋଷଣା କରି ଚାଲିଛନ୍ତି ନୂଆ ନୂଆ କଲ୍ୟାଣକାରୀ ଯୋଜନା। ସେପଟେ ହାତ ପାହାନ୍ତାରେ ମଦ ଉପଲବ୍ଧ ହେବା ଫଳରେ ବଦଳିଚାଲିଛି ଆମ ସାମାଜିକ ଓ ସାଂସ୍କୃତିକ ଜୀବନଧାରା। ଗାନ୍ଧିଜୀ କହୁଥିଲେ, ନିଶାର ବ୍ୟାପକ ପ୍ରସାର ହେଲେ ବିଗିଡ଼ିଯିବ ଦେଶର ମୌଳିକ ବ୍ୟବସ୍ଥା। ହୁଗୁଳା ହୋଇଯିବ ସାମାଜିକ ଶୃଙ୍ଖଳା ଓ ମାନବିକ ମୂଲ୍ୟବୋଧ। ବାସ୍ତବରେ ତାହା ହିଁ ଦେଖିବାକୁ ମିଳୁଛି ଆମ ସମାଜ ଜୀବନରେ। ପର୍ବପର୍ବାଣି ହେଉ କି ବାହାଘର ଭୋଜି, ପ୍ରଥମେ ଦରକାର ହେଉଛି ମଦ। ବାହାଘର ଶୋଭାଯାତ୍ରାରେ ଆଗେ ପୁରୁଷମାନେ ନାଚୁଥିଲେ, ଏବେ ମହିଳାମାନେ ନିଶାସକ୍ତ ହୋଇ ନାଚିଲେଣି ମଝିରାସ୍ତାରେ। ମଜୁରି ସହିତ ମଦ ପିଇବାକୁ ନ ଦେଲେ ଆଉ କ୍ଷେତରେ କାମ କରିବାକୁ ରାଜି ହେଉ ନାହାନ୍ତି କୃଷି ଶ୍ରମିକ। ଶବସଂସ୍କାର ବେଳେ ବି ମଦପାଇଁ ଅଡ଼ି ବସୁଛନ୍ତି ସାହିଭାଇ। ବୋଲବମ୍‌ ଭକ୍ତମାନେ ଶୈବପୀଠରେ ପହଞ୍ଚି ଖୋଜିଲେଣି ମଦଦୋକାନ। ଆରମ୍ଭ ହୋଇଗଲାଣି ବାପା ପୁଅ ସାଙ୍ଗରେ ବସି ମଦ ପିଇବା ପରମ୍ପରା।
ଅର୍ଥାତ୍‌ ନିଶା ଏବେ ଆମକୁ ଏମିତି ଗ୍ରାସିଛି ଯେ ତା’ର ପ୍ରଭାବରେ ସମାଜର ପ୍ରତିଷ୍ଠିତ ମୂଲ୍ୟବୋଧ, ଶୃଙ୍ଖଳା ଓ ନିରାପତ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ସଡ଼କ ସୁରକ୍ଷା ସପ୍ତାହ ପାଳନ ବେଳେ କୁହାଯାଉଛି ଆମ ରାଜ୍ୟରେ ଯେତେ ଦୁର୍ଘଟଣା ଘଟୁଛି ତା’ର ୬୦ ପ୍ରତିଶତ ଦୁର୍ଘଟଣାର କାରଣ ହେଉଛି ମଦଜନିତ ନିଶା। ଗଣମାଧ୍ୟମରେ ପ୍ରକାଶିତ ଏକ ତଥ୍ୟ ଅନୁସାରେ ରାଜ୍ୟରେ ଜେଲଦଣ୍ଡ ଭୋଗୁଥିବା ଅପରାଧୀଙ୍କ ମଧ୍ୟରେ ନିଶାଡ଼ିଙ୍କ ସଂଖ୍ୟା ପ୍ରାୟ ୮୦ ପ୍ରତିଶତ। ନିୟମିତ ମଦ ପିଇବା କାରଣରୁ ମଧୁମେହ, କର୍କଟ ଓ ଯକୃତ ରୋଗରେ ଶିକାର ହୋଇ ଅକାଳରେ ମୃତ୍ୟୁବରଣ କରୁଛନ୍ତି ଶହ ଶହ ଲୋକ। ଏଥିପାଇଁ କେତେ ମାଆର କୋଳ ଖାଲି ହୋଇଯାଉଛି, କେତେ ଶିଶୁ ବାପଛେଉଣ୍ଡ ହେଉଛନ୍ତି ଓ କେତେ ମହିଳା ବୈଧବ୍ୟ ଯନ୍ତ୍ରଣା ଭୋଗୁଛନ୍ତି ସେ ହିସାବ ରଖିନାହାନ୍ତି ସରକାର। ମଦ କିଣୁଥିବା ଶତକଡ଼ା ୩୨ ଭାଗ ଲୋକଙ୍କ ବୟସ ୧୪ରୁ ୨୫ ମଧ୍ୟରେ ଏବଂ ସେମାନଙ୍କ ଭିତରୁ ୪୨ ପ୍ରତିଶତ ହେଉଛନ୍ତି ଛାତ୍ର। ଅର୍ଥାତ୍‌ ମଦର ପ୍ରସାର ଯୋଗୁ ପଥଭ୍ରଷ୍ଟ ହେଉଛି ଆମ ଭବିଷ୍ୟତ ପିଢ଼ି।
ସରକାରଙ୍କ ଯୁକ୍ତି ଅନୁସାରେ ମଦ୍ୟପାନ ସବୁକାଳରେ ଥିଲା ଓ ରହିବ। ସେଥିରେ କଟକଣା କଲେ ଚୋରା ମଦ କାରବାର ବଢ଼ିବ ଓ ରାଜସ୍ବ କ୍ଷତି ସହିବେ ସରକାର। ସରକାର କହୁଛନ୍ତି ମଦ ପିଇବା ବ୍ୟକ୍ତିଗତ ଅଧିକାର। ତାହା ସତ ହୋଇପାରେ, ମାତ୍ର ଜଣେ ମଦ ପିଇ ପରିବାରର ଅନ୍ୟମାନଙ୍କ ଉପରେ ଅତ୍ୟାଚାର କରିବ କେଉଁ ଅଧିକାର ବଳରେ? ଘରେ ନିତ୍ୟ ଅଶାନ୍ତି ସୃଷ୍ଟି କରୁଥିବା ମଦୁଆ ବାପର ଆଚରଣ ପିଲାମାନଙ୍କ ଉପରେ ଯେଉଁ କୁପ୍ରଭାବ ପକାଉଛି ସେ କ୍ଷତିକୁ ସରକାର ମାପିବେ କେଉଁ ମାପକାଠିରେ? ସରକାର ଏ କଥା ବି ଜାଣି ରଖିବା ଉଚିତ ଖାଦ୍ୟ ସୁରକ୍ଷା ଆଇନ ବଳରେ ଲୋକଙ୍କ ପାଖକୁ ଯେଉଁ ଟଙ୍କିକିଆ ଚାଉଳ ଯାଉଛି, ତା’ର ଏକ ବଡ଼ ଅଂଶ ଖର୍ଚ୍ଚ ହେଉଛି ମଦକିଣାରେ। ସମାଜ ବିଜ୍ଞାନୀମାନେ କହନ୍ତି ଦାରିଦ୍ର୍ୟ ଓ ଅସାମାଜିକ କାର୍ଯ୍ୟ ସହ ମଦର ସମ୍ପର୍କ ଅତି ନିବିଡ଼। ତେଣୁ ସରକାର କ’ଣ ଚାହାନ୍ତି? ଜନତାଙ୍କ ମଙ୍ଗଳ ନା ଅନ୍ୟକିଛି?
ବିଜୁ ପଟ୍ଟନାୟକ ନଗର, ଭଦ୍ରକ,
ମୋ-୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri