ଗାନ୍ଧୀ ଜୟନ୍ତୀରୁ ପ୍ଲାଷ୍ଟିକ ମୁକ୍ତ ହେବ ରେଳପଥ

ଭୁବନେଶ୍ୱର,୧୨।୯(ବ୍ୟୁରୋ): ପୂର୍ବତଟ ରେଳପଥକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ କରିବାକୁ ବୁଧବାର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ରେଳସଦନରେ ସମସ୍ତ କର୍ମଚାରୀମାନଙ୍କୁ ଶପଥ ଗ୍ରହଣ କରାଇଛନ୍ତି। ପୂର୍ବରୁ ରେଳ ମନ୍ତ୍ରାଳୟ ପକ୍ଷରୁ ଟ୍ରେନ, ଷ୍ଟେଶନ ଓ କାର୍ଯ୍ୟାଳୟ ପରିସରରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ କୁହାଯାଇଛି। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଦିବସରେ ଦେଶବ୍ୟାପୀ ରେଳପଥକୁ ପ୍ଲାଷ୍ଟିକ ମୁକ୍ତ କରିବା ଲାଗି ଏହି ନିଷ୍ପତ୍ତି ନିଆଯାଇଛି। ଶପଥ ଗ୍ରହଣ ସମୟରେ ମହାପ୍ରବନ୍ଧକ ଭୂଷଣ କର୍ମଚାରୀମାନଙ୍କୁ ପ୍ଲାଷ୍ଟିକର କୁପ୍ରଭାବ ଓ ପରିବେଶ ସୁରକ୍ଷା ବିଷୟରେ ବୁଝାଇଥିଲେ। ପ୍ଲାଷ୍ଟିକ ବ୍ୟବହାର କମାଇବାକୁ ପୂର୍ବତଟ ରେଳପଥରେ ୧୬ଟି ପ୍ଲାଷ୍ଟିକ ବୋତଲ କ୍ରଶିଂ ମେଶିନ ଲଗାଯାଇଛି। ଯାହାଦ୍ୱାରା ଏହି ବୋତଲଗୁଡିକୁ ପୁନଃବ୍ୟବହାର କରାଯାଇପାରିବ। ବିଶାଖାପାଟଣାରେ ୬ଟି ମେଶିନ୍‌, ଭୁବନେଶ୍ୱରରେ ୨ଟି, ପୁରୀରେ ୨ଟି, ସମ୍ବଲପୁରରେ ୧ଟି, କଟକରେ ୪ଟି ଓ ଖୋର୍ଦ୍ଧାରୋଡ ଷ୍ଟେଶନରେ ୧ଟି ମେଶିନ ଲଗାଯାଇଛି ବୋଲି ରେ୍‌ଲଓ୍ବେ ପକ୍ଷରୁ କୁହାଯାଇଛି। ଆଗକୁ ପୁରୀରେ ଆହୁରି ୪ଟି, ଖୋର୍ଦ୍ଧାରୋଡରେ ୨ଟି, ରାୟଗଡାରେ ୨ଟି, ବିଜୟନଗରମରେ, ଶ୍ରୀକାକୁଲମ, ସୀମାଞ୍ଚଲମ, ଆରକୁ, ଜଗଦଲପୁର, ବଲାଙ୍ଗୀର, ଟିଟିଲାଗଡ ଓ କେସିଙ୍ଗାଠାରେ ଗୋଟିଲ ଲେଖାଏ ମେଶିନ ଲଗାଇବା ପାଇଁ ଯୋଜନା ହୋଇଛି। ସେହିଭଳି ପ୍ରଦୂଷଣ କମାଇବା ଲାଗି ରେଳପଥ ପକ୍ଷରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ସୌରଶକ୍ତି ଓ ବାୟୁଶକ୍ତିର ବ୍ୟବହାର, ବାୟୋ ଟଏଲେଟ, ରେଳପଥକୁ ଇଲେକ୍ଟ୍ରିଫିକେଶନ, ଏଲ୍‌ଇଡି ଲାଇଟ ବ୍ୟବହାର କରାଯାଉଛି। ସବୁଜ ପରିବେଶ ତିଆରି କରିବା ଲାଗି ଧାରଣା କଡରେ ଗଛ ଲଗାଇବା, ବର୍ଷାଜଳ ସଂରକ୍ଷଣ ଓ ବ୍ୟବହୃତ ଜଳକୁ ଚିକିତ୍ସା କରି ପୁନଃ ବ୍ୟବହାର ଯୋଗ୍ୟ କରାଇବା ଆଦି ପଦକ୍ଷେପ ନିଆଯାଇଛି। ସୂଚନାଯୋଗ୍ୟ ଗତମାସ ୨୮ରେ ସମ୍ବଲପୁର ରେଳ ଷ୍ଟେଶନକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ନିଷିଦ୍ଧ ଷ୍ଟେଶନ ବୋଲି ଘୋଷଣା କରାଯାଇଥିଲା।

Share